ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା
ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀଙ୍କୁ ପ୍ରସୂତିକାଳୀନ ଛୁଟି
ଭୁବନେଶ୍ୱର(ଏନ୍.ଏମ୍.): ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ଣକାଳୀନ ସହାୟତା (ସମର ଆଲାଉନ୍ସ) ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଉପରୋକ୍ତ ମର୍ମରେ ନିଷ୍ପତ୍ତି ନିଆଯାଇ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା ବାବଦରେ ପ୍ରତ୍ୟେକଙ୍କୁ ୧୦୦ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ମଇ ମାସରେ ହିତାଧିକାରୀମାନଙ୍କୁ ଏହି ଟଙ୍କା ଯୋଗାଇ ଦିଆଯିବ । ରାଜ୍ୟରେ ପ୍ରାୟ ୪୮ ଲକ୍ଷ ୫୧ ହଜାର ହିତାଧିକାରୀ ଏହି ଗ୍ରୀଷ୍ଣକାଳୀନ ସହାୟତା ପାଇବେ । ସେହିପରି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ରହିଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ତଥା ତାଲିମଦାତ୍ରୀମାନଙ୍କ ପାଇଁ ପ୍ରସୂତିକାଳୀନ ଛୁଟି ଅନୁମୋଦିତ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ସଂପୃକ୍ତ କର୍ମଚାରୀ ୧୮୦ ଦିନ ବା ୬ ମାସ ପାଇଁ ଏହି ଛୁଟି ପାଇପାରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ୧୦୩ଟି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ କାର୍ଯ୍ୟ କରୁଛି ।