ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ କଟକରେ ଗାନ୍ଧୀବାଦୀଙ୍କ ବିରୋଧ
କଟକ(ଏନ୍.ଏମ୍.): ଜାତୀର ଜନକଙ୍କ ସାବରମତୀ ଆଶ୍ରମରେ କେନ୍ଦ୍ର ସରକାର ଗୁଜରାତ ଓ ଭାରତ ସରକାର ଆଧୁନିକୀକରଣ କରିବା ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ୧୨୪୬ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ବାପୁଙ୍କର ଏହି ସୁପ୍ରସିଦ୍ଧ ଆଶ୍ରମର ସୁପରିଚାଳନା ନିମନ୍ତେ ଗାନ୍ଧୀବାଦୀମାନଙ୍କ ପକ୍ଷରୁ ପାଞ୍ଚଗୋଟି ଟ୍ରଷ୍ଟ ଥିବା ସତ୍ତ୍ୱେ ଗୁଜରାତ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ନୂଆ ଟ୍ରଷ୍ଟ ଗଠନ କରା ଯାଇଛି । ଅପରପକ୍ଷେ ସରକାରମାନେ ଗରିବ ଭାରତୀୟ ମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପରିବର୍ତ୍ତେ ଏହି ବିଶ୍ୱମାନବଙ୍କ ଛୋଟ କୁଟୀରକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରି ସେଥିରୁ ଅର୍ଥ ଆଦାୟ ପାଇଁ ଯୋଜନା ନିନ୍ଦନୀୟ ବୋଲି ପ୍ରତିବାଦ ସଭାରେ ମତପ୍ରକାଶ ପାଇଛି । ଅନ୍ୟପକ୍ଷରେ ସରକାର ଦେଶର ଏହି ମଣିଷମାନଙ୍କ ଉନ୍ନତି ପାଇଁ ଚିନ୍ତିତ ଥିବା ପରି ଦେଖା ଯାଉନାହିଁ । ସରକାର ଦେଶର ପରିସ୍ଥିତିକୁ ସୁଧାରିବା ପରିବର୍ତ୍ତେ ଗାନ୍ଧୀ ଆଶ୍ରମ, ସ୍ୱାଧୀନତା ଆନ୍ଦୋଳନର ଇତିହାସ, ଭାରତର ଧର୍ମ ନିରପେକ୍ଷତା ଆଦିକୁ ନଷ୍ଟ କରିଦେବା ଲାଗି ଯୋଜନା ଚଳାଇଛି ବୋଲି ଗାନ୍ଧୀବାଦୀମାନେ ଅଭିଯୋଗ ବାଢ଼ିଛନ୍ତି । ଏହି ସମସ୍ତ କଥାକୁ ବିରୋଧ କରି ବିଭିନ୍ନ ଗାନ୍ଧୀ ବିଚାରର ସଂଗଠନ ମାନଙ୍କ ପକ୍ଷରୁ ମିଳିତ ଭାବେ ମହାରାଷ୍ଟ୍ରର ୱାର୍ଦ୍ଧାସ୍ଥିତ ସେବାଗ୍ରାମ ଆଶ୍ରମରୁ ସେବାଗ୍ରାମ ସାବରମତୀ ସନ୍ଦେଶ ଯାତ୍ରା ଗତ ଅକ୍ଟୋବର ୧୭ ତାରିଖରୁ ବାହାରି ମହାରାଷ୍ଟ୍ର ଓ ଗୁଜରାଟର ଗାଁ ଗାଁ ହୋଇ ଆଜି ସାବରମତୀ ଆଶ୍ରମରେ ପହଞ୍ଚିଛି ବୋଲି ବକ୍ତାମାନେ କହିଥିଲେ । ଗୁଜରାତ ଓ ଭାରତ ସରକାରଙ୍କ ସାବରମତୀ ଆଶ୍ରମରେ ହସ୍ତକ୍ଷେପକୁ ବିରୋଧ କରି କଟକରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ରାଷ୍ଟ୍ରୀୟ ଯୁବ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ପୁରୀଘାଟସ୍ଥିତ ଗାନ୍ଧୀ ପୀଠ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଫେସର ପାବକ କାନୁନଗୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତି, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ସମ୍ପାଦକ ଜୟନ୍ତ କୁମାର ଦାସ, ବରିଷ୍ଠ ଗାନ୍ଧୀବାଦୀ ଡକ୍ଟର ସତ୍ୟ ରାୟ, ସଂଗ୍ରାମୀ ଫୋରମର ପ୍ରଶାନ୍ତ ଦାସ, କବି ରବୀନ୍ଦ୍ର ନାଥ ସାହୁ, ସାମ୍ୟବାଦୀ ନେତା ଖଗେଶ୍ୱର ସେଠୀ, ସମାଜବାଦୀ ନେତା ଚିତ୍ତରଞ୍ଜନ ମହାନ୍ତି, ସେକ ଅବଦୁଲ୍ଲା, ନୀତିନ କୁମାର ସିଂହ, କେଦାର ନାୟକ, କାଶୀନାଥ ସ୍ୱାଇଁ, ମହମ୍ମଦ ସନାୱାଲା, ମହମ୍ମଦ କମରୁଲ ହୁସେନ, ବିଜୟ କୁମାର ରଗଡ, ଛତିଆ ଗାନ୍ଧୀ ପୀଠର ମିହିର ପ୍ରତାପ ଦାସ, ଲକ୍ଷ୍ମୀପ୍ରିୟା ମହାନ୍ତି, ଭଗବାନ ନାଥ, ରଶ୍ମି ରଞ୍ଜନ ମିଶ୍ର, ବିଜୟ କୁମାର ବେହେରା, ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଇନ୍ଦୁମତି ସାହୁ, ଆଇନଜୀବୀ ସୁରେନ୍ଦ୍ର ନାଥ କର, ନିରୁପମା ବାରିକ, ଅନିମା ରାୟ, କବିର ଜେନା ପ୍ରମୁଖ ଯୋଗଦେଇ ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ ନିନ୍ଦା କରିଥିଲେ ।