ସରକାରୀ କର୍ମଚାରୀ ଦାବିରେ ଅଙ୍ଗନୱାଡି କର୍ମଚାରୀଙ୍କ ରାଜ୍ୟ ବ୍ୟାପୀ ଆନ୍ଦୋଳନ: ସିଏମସି ସମ୍ମୁଖରେ ମାଣବସା ଲକ୍ଷ୍ମୀପୂଜା

ସରକାରୀ କର୍ମଚାରୀ ଦାବିରେ ଅଙ୍ଗନୱାଡି କର୍ମଚାରୀଙ୍କ ରାଜ୍ୟ ବ୍ୟାପୀ ଆନ୍ଦୋଳନ: ସିଏମସି ସମ୍ମୁଖରେ ମାଣବସା ଲକ୍ଷ୍ମୀପୂଜା

ସରକାରୀ କର୍ମଚାରୀ ଦାବିରେ ଅଙ୍ଗନୱାଡି କର୍ମଚାରୀଙ୍କ ରାଜ୍ୟ ବ୍ୟାପୀ ଆନ୍ଦୋଳନ: ସିଏମସି ସମ୍ମୁଖରେ ମାଣବସା ଲକ୍ଷ୍ମୀପୂଜା

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ସରକାରୀ କର୍ମଚାରୀ ଭାବେ ମାନ୍ୟତା ପାଇବା ପାଇଁ ଅଙ୍ଗନୱାର୍ଡ଼ି କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବର୍ଷ ବର୍ଷ ଧରି ସରକାରଙ୍କ ସମସ୍ତ କାର୍ଯ୍ୟ ତୁଲାଉଥିବା ଏହି କର୍ମଚାରୀମାନଙ୍କ ପ୍ରତି ସରକାର ସର୍ବଦା ବୈମାତୃକ ମନୋଭାବ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍‌ର ଆହ୍ୱାନ କ୍ରମେ ଅଙ୍ଗନୱାଡ଼ି କର୍ମଚାରୀମାନେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କଟକ ସହରାଞ୍ଚଳ -୨ଶାଖା ପକ୍ଷରୁ ସିଏମସି କାର୍ଯ୍ୟାଳୟ ପରିସରରେ ଥିବା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମଚାରୀମାନେ ଧାରଣା ଦେଇଛନ୍ତି । ଆଜି ମାର୍ଗଶିର ମାସର ତୃତୀୟ ଗୁରୁବାରରେ ମା’ ଲକ୍ଷ୍ମୀଙ୍କର ମାଣବସା ପୂଜା କରି ଅଭିନବ ଉପାୟରେ ୮ଦଫା ଦାବି ପୂରଣ ନିମନ୍ତେ ପ୍ରତିବାଦ କରିଥିଲେ । ଦାବି ଗୁଡ଼ିକ ମଧ୍ୟରେ ବିଶେଷ କରି ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ଦେବା, ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ଯେ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ମାନ୍ୟତା ଦିଆଯାଇନାହିଁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ମାସିକ ବେତନ ୧୮,୦୦୦ ଏବଂ ସହାୟିକା ମାନଙ୍କୁ ୯୦୦୦ ଟଙ୍କା ପ୍ରଦାନ କରିବା, ଏଥି ସହିତ ଇପିଏଫ, ଇ.ଏସ୍‌.ଆଇ.ସି ଓ ଗ୍ରାଚ୍ୟୁଇଟିରେ ସାମିଲ କରାଯିବା, ମିନି ଅଙ୍ଗନୱାଡ଼ି କର୍ମୀ ପଦବୀ ଉଚ୍ଛେଦ କରି ମୁଖ୍ୟ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ପ୍ରଦାନ କରିବାକୁ ଦାବି ହୋଇଛି । ପୁନଶ୍ଚ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ଅବସର କାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା ପ୍ରଦାନ କରିବା, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ମୃତ୍ୟୁ କାଳନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ତାଙ୍କ ପରିବାରରୁ ଜଣକୁ ଚାକିରୀ ଦେବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବାଦ୍ ଦେବା ସହିତ ପୋଷଣ ଟ୍ରାକରରେ ଅନ୍ ଲାଇନ୍ ଲୋକେଶନ ଟ୍ରାକିଙ୍ଗ ବନ୍ଦ କରାଯିବା ଓ ଗ୍ରୀଷ୍ମ ଛୁଟି ପ୍ରଦାନ କରିବା, ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦେବା, ୫୦ପ୍ରତିଶତ ପରିବର୍ତ୍ତେ ଶତ ପ୍ରତିଶତ ସୁପରଭାଇଜର ପଦବୀରେ ଅଙ୍ଗନୱାଡ଼ି କର୍ମୀଙ୍କୁ ପଦୋନ୍ନତି ଦେବାକୁ ଦାବି ହୋଇଛି । ଏହି କାର୍ଯ୍ୟକ୍ରମରେ ସଂଘର କଟକ ଜିଲ୍ଲା ସଭାନେତ୍ରୀ ପ୍ରମିଳା ଦାସ, କଟକ ସହରାଞ୍ଚଳ-୨ଶାଖାର ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ସିଂ, ସମ୍ପାଦିକା ଅନିତା ସାମଲ, ଭାରତୀୟ ମଜଦୁର ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥ, ଉପସଭାପତି ରମାକାନ୍ତ ସାହୁ, ସମ୍ପାଦକ ଭାଗିରଥି ବେହେରା ପ୍ରମୁଖ ଅଙ୍ଗନୱାଡ଼ି କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି