ସନ୍ତରଣ ଅଭ୍ୟାସ ବେଳେ ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ
#କଟକ(ଏନ୍.ଏମ୍.): ସନ୍ତରଣ ଶିକ୍ଷା କାଳ ସାଜିଲା । ଆଜି ଜଗତପୁର ଅଞ୍ଚଳରେ ଥିବା ସନ୍ତରଣ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଜଣେ ଯୁବକ ମହାନଦୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ତେବେ ଯୋବ୍ରା ବ୍ୟାରେଜ ନିଟକରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ନାମ ସୋହେଲ୍ ଖାନ୍ । ତାଙ୍କ ଘର କଟକର ଜଗତପୁର ପୀର ବଜାର ଅଞ୍ଚଳ କାଜିବଜାର ଅଞ୍ଚଳର । ସୋହେଲେ ଆଜି ସକାଳେ ସନ୍ତରଣ ଅଭ୍ୟାସ ପାଇଁ ଯୋବ୍ରା ବ୍ୟାରେଜ ନିକଟକୁ ଆସିଥିଲେ । ତାଙ୍କ ସହିତ ଆହୁରି ୨୦/୨୫ ଜଣ ସନ୍ତରଣ ଅଭ୍ୟାସ କରିବାକୁ ଆସିଥିଲେ । ତେବେ ଏତେ ସଂଖ୍ୟକ ପିଲାଙ୍କ ପାଇଁ ଜଣେ ପ୍ରଶିକ୍ଷକ ସେଠାରେ ଉପସ୍ଥିତ ଥିବା ଏବଂ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ପ୍ରତ୍ୟେକ୍ଷ ଦର୍ଶୀମାନେ ଅଭିଯୋଗ କରିଛନ୍ତି । ତେବେ ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ସନ୍ତରଣ ଅଭ୍ୟାସବେଳେ ସୋହେଲେ ବୁଡ଼ି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ପ୍ରାୟ ଘଣ୍ଟାଏ ଧରି ଖୋଜାଖୋଜି କରିବା ପରେ ସୋହେଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଜଗତପୁର ଥାନା ପୁଲିସ୍ ଘଟଣାର ତଦନ୍ତ କରିବା ସହ ଉକ୍ତ ସନ୍ତରଣ ତାଲିମ କେନ୍ଦ୍ର ଚଳାଉଥିବା ବ୍ୟକ୍ତି ଓ ପ୍ରଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏତେ ସଂଖ୍ୟକ ପିଲାଙ୍କୁ ସେଠାରେ ସନ୍ତରଣ ତାଲିମ ଦେବା ବେଳେ କ’ଣ ସବୁ ପ୍ରତିଷେଧ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଓ କାହିଁକି ଏମିତି ଏକ ଅଘଟଣ ଘଟିଲା, ସେ ସବୁ ବିଷୟରେ ପୁଲିସ୍ ସେମାନଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପୀରବଜାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୋହେଲ ପହଁରା କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ନାଁ କରିବା ପାଇଁ ସେ ଏବଂ ତାଙ୍କ ପରିବାର ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସବୁ ମିଳେଇ ଯାଇଥିବାବେଳେ ପରିବାର ଉପରେ ସତେ ଯେମିତି ବଜ୍ର ପଡ଼ିଯାଇଛି ବୋଲି ସୋହେଲଙ୍କ ସାଙ୍ଗସାଥୀ କହିଛନ୍ତି ।