ସଂସଦୀୟ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତିଙ୍କ ସମ୍ବୋଧନ
‘ସରକାରଙ୍କ ଉଦ୍ୟମ ଯୋଗୁଁ ଏବେ ଦେଶ ଉନ୍ନତିର ପଥରେ ଆଗେଇ ଚାଲୁଛି’
#ନୂଆଦିଲ୍ଲୀ(ଏଜେନ୍ସି): ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ଏହା ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏହି ଅବସରରେ ଆଜି ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରି ସରକାରଙ୍କ ଉଦ୍ୟମ ଯୋଗୁଁ ଏବେ ଦେଶ ଉନ୍ନତିର ପଥରେ ଆଗେଇ ଚାଲୁଥିବା ମତବ୍ୟକ୍ତି କରିଛନ୍ତି ।
ସେ ତାଙ୍କ ଉଦ୍ବୋଧନରେ କହିଲେ ଯେ, ଭାରତ ଆତ୍ମ ନିର୍ଭର ହେବ । ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବଢ଼ିଛି । ବର୍ତ୍ତମାନ ଭାରତରେ ଏକ ସ୍ଥାୟୀ ଓ ନିର୍ଣ୍ଣାୟକ ସରକାର ଚାଲିଛି । ବିକାଶ ସହ ଭାରତ ଆଗକୁ ବଢ଼ୁଛି । ୨୦୪୬ ସୁଦ୍ଧା ଆମକୁ ସ୍ୱର୍ଣ୍ଣିମ ଭାରତ ଗଢ଼ିବାର ଅଛି ବୋଲି ନିଜ ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ବିକାଶରେ ଚାଲୁଥିବା ମୋ’ ସରକାରକୁ ୯ ବର୍ଷ ପୂରିବାକୁ ଯାଉଛି । ୯ ବର୍ଷରେ ବିଶ୍ୱରେ ଭାରତର ପରିଚୟ ବଦଳିଛି । ଆଜି ପ୍ରତି ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି । ନରେନ୍ଦ୍ର ମୋଦିଙ୍କ ସରକାର ଆତଙ୍କବାଦକୁ ଦୃଢ଼ ଜବାବ ଦେଉଛି । ସର୍ଜିକାଲ ଷ୍ଟ୍ରାଇକ୍ ଆତଙ୍କବାଦୀଙ୍କ ଉପରେ କଠୋର ପ୍ରହାର କରିଛି । ଏଲ୍ଓସିରୁ ଏଲ୍ଏସି ଯାଏଁ ଶତ୍ରୁକୁ ସବୁଠି ମୁହଁତୋଡ଼ ଜବାବ ଦିଆଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଏଥି ସହିତ ଭାରତରେ ଇମାନଦାରୀର ସମ୍ମାନ କରୁଥିବା ସରକାର ଅଛି । ପରମ୍ପରା ସହ ଆଧୁନିକତାକୁ ନେଇ ଚାଲୁଥିବା ସରକାର ଅଛି । ଆର୍ଟିକାଲ୍-୩୭୦, ଟ୍ରିପଲ୍ ତଲାକ ସରକାରଙ୍କ ବଡ଼ ଘୋଷଣା ଥିଲା । ସ୍ଥିର ସରକାର ଯୋଗୁଁ ଦେଶ ଆଜି ବଡ଼ ମହାମାରୀର ମୁକାବିଲା କରିପାରିଛି । ଭ୍ରଷ୍ଟାଚାର ଗଣତନ୍ତ୍ରର ସବୁଠାରୁ ବଡ଼ ଶତ୍ରୁ । ସରକାରୀ କାର୍ଯ୍ୟରେ ଭ୍ରଷ୍ଟାଚାର ବନ୍ଦ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । ସରକାର ବିନା ଭେଦଭାବ କରି ପ୍ରତି ବର୍ଗର ଲୋକଙ୍କ ପାଇଁ ସମାନ ବିଚାର କରିଛନ୍ତି । ଗୁଲାମୀର ପ୍ରତି ଚିହ୍ନ ଓ ମାନସିକତାରୁ ମୁକ୍ତି ଦେବା ପାଇଁ ଆମ ସରକାର ନିରନ୍ତର ଚେଷ୍ଟା ଚଳାଇଛି । ଯାହା ପୂର୍ବରୁ ରାଜପଥ ଥିଲା ତାହା ବର୍ତ୍ତମାନ କର୍ତ୍ତବ୍ୟ ପଥରେ ପରିଣତ ହୋଇଛି । ଆଜି କର୍ତ୍ତବ୍ୟ ପଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି । ଭାରତୀୟ ସେନାର ପରମ ବୀର ଚକ୍ର ବିଜେତାଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ୨୧ଦ୍ୱୀପପୁଞ୍ଜ ମଧ୍ୟ ନାମିତ ହୋଇଛି । ପୁନଶ୍ଚ ଗରିବୀ ହଟାଓ ସ୍ଲୋଗନ ନୁହେଁ, ସ୍ଥାୟୀ ସମାଧାନ ପାଇଁ କାର୍ଯ୍ୟ ହେଉଛି । ପ୍ରତି ଘରକୁ ପାଣି ପାଇଁ ଜଳ ମିଶନ୍ ଆରମ୍ଭ ହୋଇଛି । ଆୟୁଷ୍ମାନ ଭାରତର ୫୦ପ୍ରତିଶତ ମହିଳା ଲାଭାର୍ଥୀ ହୋଇଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ମହିଳାଙ୍କ ଗରିମା ବୃଦ୍ଧି ପାଇଛି ବୋଲି ବଜେଟ୍ ଅଧିବେଶନର ଆରମ୍ଭରେ ଦେଇଥିବା ଅଭିଭାଷଣରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ।