ଷଣ୍ଢ ଉପଦ୍ରବରେ ଆତଙ୍କିତ ଜଗତପୁର ଅଞ୍ଚଳବାସୀ: ସିଏମସି ଏଠାରେ ଛାଡ଼ି ଦେଉଥିବା ଅଭିଯୋଗ
#ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁରରେ ପୁଣି ଷଣ୍ଢ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଦିନକୁ ଦିନ ଷଣ୍ଢ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଲେଣି । ପ୍ରତିଦିନ ନୂଆ ନୂଆ ଷଣ୍ଢମାନଙ୍କୁ ଦେଖି ୱାର୍ଡ ବାସୀ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି । ତେବେ ସିଏମସି କର୍ତ୍ତୃପକ୍ଷଙ୍କ ଯୋଗୁଁ ଜଗତପୁରବାସୀ ଷଣ୍ଢ ଆତଙ୍କରେ କାଳକାଟୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଜଗତପୁର ସୂଚନା ଅନୁଯାୟୀ ଗତ କିଛି ମାସ ପୂର୍ବେ ଜଗତପୁର ଅଞ୍ଚଳରେ ମାରଣା ଷଣ୍ଢଙ୍କ ଦୌରାତ୍ମ ଦେଖିବାକୁ ମିଳିଥିଲା । ଷଣ୍ଢ ଆକ୍ରମଣରେ ଏକାଧିକ ଲୋକେ ଗୁରୁତର ହେବା ସହ ବହୁ କାର ବାଇକ ଭାଙ୍ଗି ଚୁରମାର କରିଦେଉଥିଲେ । ତେବେ ଏ ନେଇ ବାରମ୍ବାର ଅଭିଯୋଗ ହେବା ସହ ସିଏମସିକୁ ଆନ୍ଦୋଳନ ଚେତାବନୀ ଦିଆଯିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସିଏମସି କର୍ତ୍ତୃପକ୍ଷ ସେତେବେଳେ ଏହି ଷଣ୍ଢମାନଙ୍କୁ କାବୁ କରି ସ୍ଥାନାନ୍ତର କରିଥିଲେ । କିଛି ଦିନ ଅଞ୍ଚଳବାସୀ ଷଣ୍ଢ ଉପଦ୍ରବରୁ ରକ୍ଷା ପାଇଥିବାବେଳେ ଏବେ ଅନ୍ୟସ୍ଥାନରୁ ଷଣ୍ଢମାନଙ୍କୁ ସିଏମସି ଗାଡ଼ିରେ ଆଣି ରାତିରେ ଏଠାରେ ଛାଡ଼ି ଦିଆଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ବୁଲା ଗାଈମାନଙ୍କୁ ନେଇ ସିଏମସି କାଞ୍ଜିଆହୁଦାରେ ରଖୁଥିବାବେଳେ ବୁଲା ଷଣ୍ଢମାନଙ୍କ ପାଇଁ ସେଭଳି ବ୍ୟବସ୍ଥା ନାହିଁ । ଫଳରେ ଦିନରାତି ରାସ୍ତା ଉପରେ ଷଣ୍ଢ ବୁଲିବା ସହ ଦୁର୍ଘଟଣାର ମୁଖ୍ୟକାରଣ ହେଉଛି । ତେବେ ଗତ କିଛି ଦିନ ତଳେ କଟକ ବାରବାଟୀ ଷ୍ଟାଡ଼ିୟମରେ ହକି ବିଶ୍ୱକପର ଉଦ୍ଘାଟନୀ ଉତ୍ସବ ପୂର୍ବରୁ ସିଏମସି ସହରରୁ ଷଣ୍ଢମାନଙ୍କୁ ଆଣି ଜଗତପୁର ଅଞ୍ଚଳରେ ଛାଡ଼ି ଦେଇ ଯାଇଥିବା ଭଳି ଅଭିଯୋଗ ଉଠିଛି । ତେବେ ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ତୁରନ୍ତ ଏଠାରୁ ଷଣ୍ଢମାନଙ୍କୁ ସ୍ଥାୟୀ ଭାବେ ସ୍ଥାନାନ୍ତର ନକଲେ ଅଞ୍ଚଳବାସୀ ସିଏମସି କାର୍ଯ୍ୟାଳୟ ଘେରାଇ କରିବା ସହ ଚରମ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।