ଶ୍ରୀ ଗୁଣ୍ଡିଚା ପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା ; ଛାତରେ ଉପରେ ବି କେହି କରିବେନି ରଥ ଦର୍ଶନ
ପୁରୀ (ଏନ୍.ଏମ୍.) : ଆସନ୍ତା ଜୁଲାଇ ୧୨ତାରିଖରେ ପାଳନ ହେବ ଶ୍ରୀଗୁଣ୍ଡିଚା । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ତେବେ କରୋନା ଯୋଗୁଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ କୌଣସି ଶ୍ରଦ୍ଧାଳୁ ଯୋଗଦେବେ ନାହିଁ । ରଥଯାତ୍ରା ଦେଖିବା ପାଇଁ କେହି ଏକାଠି ହୋଇ ପାରିବେ ନାହିଁ । ଏଭଳି କଟକଣା ଲଗାଇଛି ପ୍ରଶାସନ । ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ଭଳି କଟକଣା ମଧ୍ୟରେ ସେବାୟତଙ୍କ ଦ୍ୱାରା ରଥଟଣା ଯିବ । ଏଥିପାଇଁ ରଥଯାତ୍ରା ପୂର୍ବରୁ ପୁରୀରେ କର୍ଫ୍ୟୁ ଲାଗୁ ହେବ । ଆସନ୍ତା ୧୧ ତାରିଖରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ରଥଯାତ୍ରା ପାଇଁ କର୍ଫ୍ୟୁ ଲାଗୁ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ରଥଯାତ୍ରା ସମୟରେ ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଉପରେ ରହି କେହି ମଧ୍ୟ ଦର୍ଶନ କରିପାରିବେ ନାହିଁ । ଏ ନେଇ କଡାକଡି ଭାବେ ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପୁରୀ ସହରରେ ୧୪୪ ଧାରା ଲାଗୁ କରାହେବ । ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ପର ଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରାଯିବ । ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ଘରର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖିପାରିବେ ନାହିଁ । ଏହି ସମୟରେ ଲୋକେ ଘର ଭିତରେ ରହିବେ । ବଡଦାଣ୍ଡରେ ଥିବା ହୋଟେଲ ଓ ଲଜ୍ ଗୁଡିକରେ ଥିବାଲୋକଙ୍କୁ ୨ ଦିନ ପୂର୍ବରୁ ଖାଲି କରାଯିବ । ସହରର ଅନ୍ୟ ହୋଟେଲ ଗୁଡ଼ିକରେ ଲୋକେ ରହିଲେ ମଧ୍ୟ ବାହାରକୁ ବାହାରି ପାରିବେ ନାହିଁ । କୌଣସି ନିୟମ ଉଲ୍ଲଘନ କରାଯିବ ନାହିଁ । ଏଥିପାଇଁ ଆବଶ୍ୟକ ପରିମାଣରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି ।