ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩ ବିଚାରପତି

କଟକ(ଏନ୍.ଏମ୍.): ଓଡ଼ିଶା ହାଇକୋର୍ଟର ୩ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ନୂତନ କୋଠାର ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ସାଢ଼େ ୯ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ନବନିଯୁକ୍ତ ବିଚାରପତି ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ଏମ୍.ଏସ୍. ରମଣଙ୍କୁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଏହି ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ବିଚାର ବିଭଗୀୟ ଅଧିକାରୀ ଅବସରପ୍ରାପ୍ତ ବିଚାରପତି ଓତାଙ୍କ ପରିବାର ସମେତ ରାଜ୍ୟସରକାରଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶପଥଗ୍ରହଣ ଉତ୍ସବ ଅନୁଷ୍ଟିତ ହୋଇଥିଲା । ଶପଥ ଗ୍ରହଣ ଉତ୍ସବ ହାଇକୋର୍ଟର ୟୁଟ୍ୟୁବ ଚ୍ୟାନେଲରେ ସିଧାପ୍ରସାଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୯ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ୪ ଜଣ ବରିଷ୍ଠ ଆଇନଜୀବୀ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ,ଏମ.ଏସ ରମଣ ଓ ସଞ୍ଜୟ କୁମାର ମିଶ୍ରଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ଅନୁମୋଦନ କରିଥିଲା । ଗତ ୧୦ ତାରିଖ ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଶ୍ରୀ ମିଶ୍ରଙ୍କୁ ଏଥିରେ ନିଯୁକ୍ତି ମିଳିନଥିଲା ବେଳେ ଅନ୍ୟ ତିନିଜଣଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଛି । ନବ ନିଯୁକ୍ତ ବିଚାରପତିମାନଙ୍କୁ ମିଶାଇ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସଂଖ୍ୟା ଏବେ ୨୧ରେ ପହଞ୍ଚିଛି ।