ଲିଙ୍ଗ ନିରୂପଣ ଓ ହତ୍ୟା ଅଭିଯୋଗରେ ଏକ ଡାଇଗ୍ନୋଷ୍ଟିକ ଉପରେ ପୁଲିସର ଚଢାଉ: ୨ଗିରଫ
କଟକ(ଏନ୍.ଏମ୍.): ଲିଙ୍ଗନିରୂପଣ ଓ ହତ୍ୟା ଦଣ୍ଡନୀୟ ଅପରାଧ ହୋଇଥିବାବେଳେ କଟକର ଏକ ଘରୋଇ ନର୍ସିଂହୋମରେ ଏହା ବେଧଡକରେ ଚାଲିଥିଲା । ସ୍ଥାନୀୟ ମଙ୍ଗଳାବାଗ କାଠଗୋଲା ସାହି ସ୍ଥିତ ଏକ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଲିଙ୍ଗ ନିରୁପଣ ଚାଲିଥିବାବେଳେ ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ ଚଢାଉ କରିଥିଲା । ଏହି ଚଢ଼ାଉ ସମୟରେ ସେଠାରୁ ଲିଙ୍ଗ ନିରୁପଣ ଯନ୍ତ୍ରାଂଶ ଜବତ କରାଯିବା ସହ ମାଲିକ ଓ ଜଣେ କର୍ମଚାରୀକୁ ଗିରଫ କରିଛି ।
ଅଭିଯୁକ୍ତ ଦ୍ୱୟ ହେଲେ ତିଗିରିଆର ପ୍ରସନ୍ନ କୁମାର ସାହୁ ଓ ବସନ୍ତ ବର୍ଦ୍ଧନ ବୋଲି ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏପରି କାରବାର ଚଳାଇଥିବା ତଥା ସଂସ୍ଥାର ମାଲିକ ପ୍ରସନ୍ନର କୌଣସି ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ । ପୂର୍ବରୁ ସେ ଏକ କ୍ଲିନିକରେ ରହି ଏହି ବିଦ୍ୟା ଶିଖିଥିବା ତଦନ୍ତରୁ ଜଣାପଡିଛି । ଏହି ବେଆଇନ କାର୍ଯ୍ୟକୁ ଧରିବାରେ ଜଣେ ମହିଳା ସାମାଜିକ କର୍ମୀ ଗର୍ଭବତୀ ସାଜି ଉକ୍ତ ସେଣ୍ଟରକୁ ଯାଇଥିଲେ । ଗଲା ୬ ମାସ ହେବ କାଠଗୋଲା ସାହି ମୁଖ୍ୟ ରାସ୍ତାରେ ଏହି ଡାଇଗ୍ନୋଷ୍ଟିକ ସେଣ୍ଟର ଖୋଲିଥିଲା । ସେଠାରେ କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସା ଏବଂ ଏକ୍ସ-ରେ, ଅଲଟ୍ରା ସାଉଣ୍ଡ ଆଦି କରାଯାଉଥିଲା ବୋଲି ବାହାରେ ବୋର୍ଡ ଲଗାଯାଇଥିଲା । ମାତ୍ର ବାସ୍ତବରେ ଉକ୍ତ ସେଣ୍ଟରରେ ସେଭଳି କିଛି ବ୍ୟବସ୍ଥା ନଥିଲା । ସେଠାରେ କେବଳ ଲୁଚାଛପାରେ ଲିଙ୍ଗ ନିରୁପଣ ଓ ଅନିଚ୍ଛା ଗର୍ଭ ନଷ୍ଟ କରାଯାଉଥିଲା । ଏ ନେଇ ସୂଚନା ମିଳିବା ପରେ ପୁଲିସ ପ୍ରଥମେ ପ୍ରମାଣ ଯୋଗାଡ ତଥା ବେଆଇନ କାର୍ଯ୍ୟ ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ନିଷ୍ପତ୍ତି ନେଲା । ତଦନୁଯାୟୀ ଜଣେ ମହିଳା ସାମାଜିକ କର୍ମୀଙ୍କ ସେଠାକୁ ପଠାଇଥିଲା । ସେଠାରେ ମହିଳା ଜଣକ ବାସ୍ତବ ଚିତ୍ର ଦେଖିବା ସହ ବହୁ ସତର୍କତାର ସହ ତଥ୍ୟ ହାସଲ କରିଥିଲେ । ଏହାପରେ ସଂପୃକ୍ତ ମହିଳାଙ୍କ ଉପସ୍ଥିତିରେ ପୁଲିସ ଉକ୍ତ ସେଣ୍ଟରରେ ଚଢାଉ କରିଥିଲା । ଏହି ସମୟରେ ଉକ୍ତ ସେଣ୍ଟରରେ ୬ ଜଣ ଗର୍ଭବତୀ ମହିଳା ଲିଙ୍ଗ ନିରୁପଣ ଉଦ୍ଦେଶ୍ୟରେ ଆସି ବସିଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ୮ଜଣ ମହିଳା କାମ ସାରି ଫେରିଥିଲେ ।