ଲାଲୁଙ୍କୁ କ୍ଲିନଚିଟ ଦେଲା ସିବିଆଇ !

ଲାଲୁଙ୍କୁ କ୍ଲିନଚିଟ ଦେଲା ସିବିଆଇ !

ନୂଆଦିଲ୍ଲୀ (ଏଜେନ୍ସି): ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଡିଏଲଏଫ ଲାଞ୍ଚ କାରବାର ମାମଲାରେ ସିବିଆଇ କ୍ଲିନଚିଟ୍ ଦେଇଥିବା ଜଣାପଡ଼ିଛି । ସିବିଆଇ ସୂତ୍ରରୁ ଏଭଳି ତଥ୍ୟ ମିଳିଥିବା ଜଣାପଡ଼ିଛି । ସେ ରେଳବାଇ ମନ୍ତ୍ରୀ ଥିବା ବେଳେ ଡିଏଲଏଫ ଲାଞ୍ଚ କାରବାର ମାମଲା ଘଟିଥିଲା । ଶ୍ରୀ ଯାଦବ ଏଥିରେ ସାମିଲ ଥିବା ସନେ୍ଦହ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା । ସୂଚନା ଅନୁଯାୟୀ, ସିବିଆଇର ଅର୍ଥନୀତି ଅପରାଧ ଶାଖା ୨୦୧୮ ମସିହା ଜାନୁଆରୀ ମାସରୁ ଲାଲୁଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା । ଲାଲୁ ଓ ରିୟଲ ଷ୍ଟେଟ ଗ୍ରୁପ୍ ଡିଏଲଏଫ ଗ୍ରୁପ୍ ମଧ୍ୟରେ କିଭଳି କାରବାର ହୋଇଥିଲା, ତା’ର ଲିଙ୍କ ଖୋଜିଥିଲା । ମୁମ୍ବାଇର ବାନ୍ଦ୍ରାରେ ରେଳ ପ୍ରକଳ୍ପ ଓ ନୂଆଦିଲ୍ଲୀ ରେଳ ଷ୍ଟେସନର ଉନ୍ନତୀକରଣ କାମ ହାତେଇବାକୁ ଡିଏଲଏଫ ଲାଲୁଙ୍କୁ ବ୍ୟାପକ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା । ୨୦୦୭ ମସିହା ଡିସେମ୍ବର ମାସରେ ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡ୍ସ କଲୋନୀରେ ଏବି ଏକ୍ସପର୍ଟ ପ୍ରାଇଭେଟ ଲିମିଟେଡ଼ ନାମକ ଗୋଟିଏ ସେଲ କମ୍ପାନୀ ୫ କୋଟି ଟଙ୍କାରେ ଗୋଟିଏ ଜମି କିଣିଥିଲା । ଲେକ୍ସିସ ଇନଫୋଟେକ ପ୍ରାଇଭେଟ ଲିମିଟେଡ଼ ଓ ଅନ୍ୟ ସେଲ କମ୍ପାନୀ ଜରିଆରେ ଡିଏଲଏଫ ହୋମ ଡେଭଲପର୍ସ ଏଥିପାଇଁ ଅର୍ଥ ଦେଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଜମିର ମୂଲ୍ୟ ସେହି ସମୟରେ ୩୦ କୋଟି ଟଙ୍କା ଥିବାବେଳେ ଏହା କେମିତି ୫ କୋଟି ଟଙ୍କାରେ କିଣା ଗଲା, ତା’କୁ ନେଇ ପ୍ରଶ୍ନ ଉଠିଥିଲା । ୨୦୧୧ ମସିହାରେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ, ତାଙ୍କ ପରିବାର ସଦସ୍ୟ ଚନ୍ଦା ଯାଦବ ଓ ରାଙ୍ଗିନି ଟ୍ରାନ୍ସଫର ଅଫ ସେୟାର ଜରିଆରେ ୪ ଲକ୍ଷ ଟଙ୍କାରେ ଏବି ଏକ୍ସପର୍ଟ ପ୍ରାଇଭେଟ ଲିମିଟେଡ଼ କିଣିଥିବା ଅଭିଯୋଗ ହୋଇଥିଲା । ଏହାଦ୍ୱାରା ସେମାନେ ଦକ୍ଷିଣ ଦିଲ୍ଲୀରେ ଥିବା ୫ କୋଟି ଟଙ୍କା ଜମିକୁ ମଧ୍ୟ ଦଖଲ କରିଥିଲେ । ଅଭିଯୋଗ ପରେ ସିବିଆଇ ଲାଲୁଙ୍କ ଉପରେ ୨ ବର୍ଷ କାଳ ତଦନ୍ତ କରିଥିଲା । ହେଲେ କୌଣସି ଲିଙ୍କ ନପାଇବାରୁ ଏବେ ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରାୟ ୩ ବର୍ଷ ଜେଲରେ ରହିବା ପରେ ଚଳିତ ବର୍ଷ ଏପ୍ରିଲ ମାସରେ ଜାମିନ ପାଇଛନ୍ତି ।

 

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି