ଲମ୍ବୁଛି ଠକ ତାନ୍ତ୍ରିକର ଲୁଟର ତାଲିକା: କୈଫ ଖାଁ ନାମରେ ଆଜି ପୁଣି ୨ଟି ମାମଲା
#କଟକ(ଏନ୍.ଏମ୍.): ତାନ୍ତ୍ରିକ ମୌଲାନା କୈଫ ଖାଁ ଗତକାଲି ଠକେଇ ଅଭିଯୋଗରେ ଗିରଫ ହୋଇଥିବା ବେଳେ ତା ବିରୋଧରେ ଆଜି ପୁଣି ଆଉ ଅଭିଯୋଗ ଥାନାରେ ରୁଜୁ ହୋଇଛି । ସେ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି । ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି । ଗତକାଲି ରାଣୀହାଟ ଅଞ୍ଚଳର ଶର୍ମିଳା ସେନଙ୍କୁ ଠକେଇ କରି ଗିରଫ ହୋଇଥିବା କୈଫ ନାମରେ ଆଜି ଆଉ ୨ଜଣ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲାର ବହୁ ଦରଡ଼ା ଗ୍ରାମର ଶେଖ ଜବୁର ଇସଲାମ ମଧ୍ୟ ଠକାମୀର ଶିକାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏହି ବ୍ୟକ୍ତିଙ୍କ ଘରେ କିଛି ସମସ୍ୟା ଥିବାରୁ ଶେଖ ଜବୁର ଏହାର ସମାଧାନ ପାଇଁ ମୌଲାନା କୈଫଙ୍କ ପାଖକୁ ଆସିଥିଲେ । କୈଫ ତାଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ତାଙ୍କ ଘରକୁ ପୂଜା ମନ୍ତ୍ର ଦ୍ୱାରା ବନ୍ଦୀ କରିବାକୁ କହିଥିଲେ । ଏଥି ସହିତ ସେ ନିଜେ ଯାଇ ତାଙ୍କ ଘରେ ପୂଜାପାଠ କରି ଏହାକୁ ବନ୍ଦୀ କରିଥିଲେ । ପରେ ତାଙ୍କ ଘର ପାଖରେ ଥିବା ଏକ ନିମ୍ବ ଗଛ ପାଖରେ ମାଟି ତଳେ ଏକ ସୁନା ଇଟା ଅଛି ବୋଲି କହିଥିଲେ । ସେହି ଇଟାକୁ ବାହାର କରି ଦେଲେ ଘରେ ଆଉ ଅଶାନ୍ତି ରହିବ ନାହିଁ ବୋଲି ସେ କହିଥିଲେ । ମୌଲାନା କୈଫ ନିଜେ ସେହି ଇଟାକୁ ଖୋଳି ବାହାର କରିଥିଲେ । ସେ ଆହୁରି କହିଛନ୍ତି, ବାହାର କରିଥିବା ଇଟାକୁ ସେ ସୁନା ଇଟା ବୋଲି କହିଥିଲେ । ଏହାକୁ ବିକ୍ରି କଲେ ଗୋଟିଏ କୋଟିରୁ ଅଧିକ ଟଙ୍କା ହେବ ବୋଲି କହିଥିଲେ । ସେଥିପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କହିଥିଲେ । ରାଜସ୍ଥାନରୁ କସ୍ତୁରୀ ଆଣି ସୁଦ୍ଧି କରିବା ପରେ ସେହି ଇଟାକୁ ସେ ବଜାରରେ ବିକ୍ରି କରିଦେବେ ବୋଲି କହିଥିଲେ । ସେଥିରୁ ଯାହା ପଇସା ହେବ ତାକୁ ସେ ଦେଇଦେବେ ବୋଲି କହି ଇଟାକୁ ନେଇ ଆସିଥିଲେ । ତେଣୁ ସେ ଓ ତାଙ୍କ ବାପା ମୌଲାନା କୈଫଙ୍କ ଘରକୁ ଯାଇ ୫ ଲକ୍ଷ ଟଙ୍କା ଦେଇଥିଲେ । ୨ମାସ ତଳେ ତେ କୈଫଙ୍କ ଘରକୁ ଯାଇ ଇଟା ବାବଦରେ ପଚାରିବାରୁ ସେ ଉକ୍ତ ଇଟା ଫେରାଇ ଦେଇଥିଲେ । ଇଟା ବାବଦକୁ ଦେଇଥିବା ୫ଲକ୍ଷ ଟଙ୍କା ମାଗିବାରୁ ଦେଇ ନଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ, ତାହା ସୁନା ଇଟା ନୁହେଁ କପରରେ ତିଆରି ଇଟା । ତେଣୁ ସେ କୈଫଙ୍କ ଦ୍ୱାରା ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ପୁନଶ୍ଚ କୈଫ କିଶନ ନଗର ଥାନା ଅନ୍ତର୍ଗତ ସୋମପୁର ଗ୍ରାମର ଜନୈକା ମହିଳାଙ୍କୁ ବ୍ୟବସାୟ କରାଇ ଦେବ ବୋଲି ୧୫ଲକ୍ଷ ଟଙ୍କା ଲୁଟିଥିବା ଭଳି ଥାନାରେ ଅଭିଯୋଗ ହୋଇଥିବା ଆଇଆଇସି ଶ୍ରୀ ଜେନା କହିଛନ୍ତି । ତେବେ କୈଫକୁ ରିମାଇଣ୍ଡରେ ଆଣିବା ପରେ ଆହୁରି ଅନେକ ଗୁମର ଫିଟିବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି ।