ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା

ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା

ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା


କଟକ (ଏନ୍‌.ଏମ୍‌.): ଜଣେ ସାଧାରଣ ରିକ୍ସା ବାଲା ଏବେ କୋଟି କୋଟି ଟଙ୍କାର ମାଲିକ । କେବଳ ନିଜର ପାରିଶ୍ରମିକ, ନୀତି, ନିଷ୍ଠା, ସହୃଦୟ ଯୋଗୁଁ ଏଭଳି ସୌଭାଗ୍ୟ ପାଇବାରେ ସେ ସଫଳ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରୌପ୍ୟ ନଗର କଟକ ସହରରେ । ଏପରି ମହାନତା ଲାଗି ଜଣେ ବୃଦ୍ଧା ସହରର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ଉଦାରବାଦୀ ଲାଗି ଜଣେ ରିକ୍ସା ଚାଳକ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଛି ।
ସୂତାହାଟ ଅଞ୍ଚଳର ୬୩ ବର୍ଷିୟ ମୀନତି ପଟ୍ଟନାୟକ ରୁହନ୍ତି । ତାଙ୍କ ଜୀବନରେ ହଠାତ ଅନ୍ଧକାର ମାଡିଆସିଲା । ୨୦୨୦ ମସିହାରେ ସ୍ୱାମୀ କୃଷ୍ଣ କୁମାର ପଟ୍ଟନାୟକଙ୍କ ଦେହାନ୍ତ ଘଟିଥିଲା । ଏହାପରେ ଝିଅ କୋମଲଙ୍କ ଭରସାରେ ବଞ୍ôଚବାର ରାହା ଖୋଜିଲେ । ଝିଅ ବିବାହ ଲାଗି ସ୍ଥିର କରିଥିଲେ । ହେଲେ ବିଧିର ବିଧାନ ସମ୍ପୂର୍ଣ୍ଣ ଅଲଗା ଥିଲା । ସ୍ୱାମୀଙ୍କ ମୃତ୍ୟୁର ୬ ମାସ ପରେ ଝିଅ କୋମଲର ଦୃହଘାତରେ ମୃତ୍ୟୁ ଘଟିଲା । ଝିଅର ମୃତ୍ୟୁ ପରେ ମୀନତି ଭାଙ୍ଗିବା ପଡିବା ସହ ଏକା ହୋଇଗଲେ । ବନ୍ଧୁ ବାନ୍ଧବ, ନିକଟ ସମ୍ପର୍କୀୟଙ୍କ ଠାରୁ ଯେଉଁ ଶ୍ରଦ୍ଧା, ଭରସା, ସମବେଦନା ଆଶା କରୁଥିଲେ ତାହା ପାଇଲେ ନାହିଁ । ଜୀବନର ସବୁଠାରୁ କଠିନ ସମୟରେ ଆପଣାର ଲୋକ ପାଖରେ ଠିଆ ହେଲେ ନାହିଁ । ଶେଷରେ ଜଣେ ରିକ୍ସା ଚାଳକ ବୁଢା ସାମଲ ଠିଆ ହୋଇଥିଲେ । ପଟ୍ଟନାୟକ ପରିବାର ସହ ବୁଢାଙ୍କ ଦୀର୍ଘ ବର୍ଷର ସମ୍ପର୍କ ରହିଥିଲା । ଘରର ବୋଲ ହାକ କରିଦିଅନ୍ତି । ଝିଅକୁ ସ୍କୁଲ ନେବା ଆଣିବା କରନ୍ତି । ବୁଢାଙ୍କ ପତ୍ନୀ ବୁଟି ମଧ୍ୟ ମିନତୀଙ୍କ ଯତ୍ନ ନେଲେ । ତାଙ୍କର ଏଭଳି ସେବା ଦେଖି ମୀନତି ସେମାନଙ୍କୁ ନିଜ ଘରକୁ ରହିବା ଲାଗି କହିଲେ । ସଦ୍ଧେଶ୍ୱର ସାହିରେ ରହୁଥିବା ବୁଢାଙ୍କ ପରିବାର ସୂତାହାଟ ଘରେ ଆସି ରହିଲେ । ସେମାନଙ୍କ ଯତ୍ନ ଓ ସେବାରେ ଖୁସି ହୋଇଗଲେ । ନିଜ ସମ୍ପତ୍ତି ଏହି ପରିବାରକୁ ଦେବା ଲାଗି ନିଷ୍ପତ୍ତି ନେଲେ । ପାଖ ପଡୋଶୀ ମାନଙ୍କ ପଚାର ଉଚାର କରିବା ପରେ ଏଭଳି ନଷ୍ପତ୍ତି ଗ୍ରହଣ କଲେ ମୀନତି । ସମସ୍ତଙ୍କ ପରାମର୍ଶ ପରେ ନିଜ ନାମରେ ଥିବା ପ୍ରାୟ ୧ ଗୁଣ୍ଠ ଜମି, ୩ମହଲା ଘର, ଅନ୍ୟାନ ସମ୍ପତ୍ତି ବୁଢା ସାମଲଙ୍କ ନାଁରେ ଲେଖିଦେଲେ । ଓକିଲଙ୍କ ଉପସ୍ଥିତିରେ ବୁଢାଙ୍କୁ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଛନ୍ତି । ଏନେଇ ମିନତୀ କୁହନ୍ତି ବୁଢା ପରିବାର ମୋତେ ଯେଉଁ ଶ୍ରଦ୍ଧା ଦେଇଛନ୍ତି ତାହା ଏ ସମ୍ପତ୍ତି ଆଗରେ କିଛି ନୁହେଁ । ଭଲ ମନ୍ଦରେ ଏହି ପରିବାର ମୋ ସହିତ ସବୁବେଳେ ଛିଡା ହୋଇଛି । ଯେଉଁଠି ସମ୍ପର୍କୀୟ ମାନେ ସମ୍ପର୍କର ମୂଲ୍ୟ ବୁଝିନାହାନ୍ତି ସେଠି ଏହି ଗରିବ ପରିବାର ମୋ ଦୁଃଖ ବୁଝିଛନ୍ତି । ଶେଷ ଜୀବନ ଏମାନଙ୍କ ପାଖରେ ବିତାଇ ସଂସସାରରୁ ବିଦାୟ ନେବେ । ଏନେଇ ରିକ୍ସା ଚାଳକ ବୁଢା କହିଛନ୍ତି ମୋ ଭଳି ଜଣେ ଗରିବ, ଖଟିଖିଆ ମଣିଷକୁ ଏସବୁ ମିଳିବା ନିଶ୍ଚିତ ଭାବେ ଚମତ୍କାର ଘଟଣା । ପଟ୍ଟନାୟକ ପରିବାର ସହ ଦୀର୍ଘ ବର୍ଷ ଧରି ଜଡିତ ରହିଆସୁଛି । ତେଶୁ ମା’ ମୀନତିଙ୍କ ବଳକା ଜୀବନରେ ସେବା ଦାୟିତ୍ୱ ମୁଁ ଓ ମୋ ପରିବାର ବର୍ଗ ନେଇଛୁ । ଆଜିର ଦୁନିଆରେ ଯେଉଁଠି ଆପଣାର ଲୋକଙ୍କ ମୁହଁକୁ ବି କେହି ଚାହୁଁନାହାନ୍ତି ସେଠି ସମ୍ପର୍କର ଏକ ନୂଆ ପରିଭାଷା ତିଆରି କରିଛନ୍ତି ମା’ ମିନତୀ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ