ରାହୁଲ ଗାନ୍ଧିଙ୍କୁ କୋର୍ଟଙ୍କ ଝଟକା: ସାଂସଦ ପଦ ରଦ୍ଦ ହେବା ସହ ୮ ବର୍ଷ ଯାଏ ନିର୍ବାଚନରୁ ବାସନ୍ଦ ଆଶଙ୍କା
ନୂଆଦିଲ୍ଲୀ(ଏଜେନ୍ସି): କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଏବେ ଲାଗିଛି କୋର୍ଟଙ୍କ ଝଟକା । ୨୦୧୯ ମସିହା ଅପରାଧିକ ମାନହାନୀ ମାମଲାରେ ଗୁଜରାଟର ଏକ କୋର୍ଟ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ତାଙ୍କୁ ଜାମିନ ମିଳିଛି ଓ ଏହି ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ ରାହୁଲଙ୍କୁ ୩୦ ଦିନର ସମୟ ମିଳିଛି । ତେବେ ଏହାକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡ ମିଳିଥିବାରୁ ଏବେ ତାଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରାଯିବାର ଆଶଙ୍କା ସୃଷ୍ଟି ହୋଇଛି । ଯଦି ଉପର କୋର୍ଟ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ନମିଳେ ତା’ହେଲେ ରାହୁଲ ୮ ବର୍ଷ ଯାଏ ନିର୍ବାଚନ ଲଢ଼ିବାରୁ ମଧ୍ୟ ବଞ୍ଚିତ ହେବେ! ଲୋକ ପ୍ରତିନିଧି ଆଇନ ୧୯୫୧ର ସେକସନ ୮(୩) ର ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ସାଂସଦ ଦୋଷୀ ସାବ୍ୟସ୍ତ ହୁଅନ୍ତି ଓ ତାଙ୍କୁ ଅତି କମରେ ୨ ବର୍ଷ ଜେଲ ଦଣ୍ଡିତ କରାଯାଏ, ତା’ହେଲେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରିବ । ବିଶେଷଜ୍ଞଙ୍କ ମତରେ ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାରୁ ଏବେ ଲୋକସଭା ସେକେଟ୍ରିଏଟ ଚାହିଁଲେ ରାହୁଲ ଗାନ୍ଧିଙ୍କୁ ସଦସ୍ୟ ପଦକୁ ରଦ୍ଦ କରିପାରିବେ ଓ ତାଙ୍କର ୱାୟନାଡ ଆସନ ଖାଲି ପଡ଼ିଲା ବୋଲି ଘୋଷଣା କରିପାରିବେ । ଏହାପରେ ନିର୍ବାଚନ କମିଶନ ଉକ୍ତ ଆସନରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରିବେ । ଯଦି ହାଇକୋର୍ଟ ତଳ କୋର୍ଟ ରାୟ ଉପରେ କୌଣସି ରୋକ ନଲଗାନ୍ତି, ତା’ହେଲେ ଏହା ସମ୍ଭବ ହେବ । କେବଳ ସେତିକି ନୁହେଁ ଯଦି ରାହୁଲଙ୍କ ବିରୋଧରେ ଆସିଥିବା ରାୟ ଉପରେ ଉପର କୋର୍ଟ ରୋକ ଲଗାଇବେ, ତେବେ ତାଙ୍କୁ ୮ ବର୍ଷ ଯାଏ ନିର୍ବାଚନ ଲଢ଼ିବାକୁ ଅନୁମତି ମଧ୍ୟ ମିଳିବ ନାହିଁ । ସୁରତ କୋର୍ଟଙ୍କ ରାୟ ବିରୋଧରେ କଂଗ୍ରେସ ହାଇକୋର୍ଟ ଯିବ ବୋଲି କହିଛି । ସେଠାରେ ଆଶ୍ୱସ୍ତି ନ ମିଳିଲେ ଦଳ ସୁପ୍ରିମକୋର୍ଟ ମଧ୍ୟ ଯାଇ ପାରିବ । ଆଇପିସିର ଧାରା ୪୯୯ ଅଧୀନରେ ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲଦଣ୍ଡ ମିଳିବା ଏକ ବିରଳ ଘଟଣା ବୋଲି ମଧ୍ୟ ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି ।