ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ

କଟକ(ଏନ୍.ଏମ୍.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ସିଏମସି ୨୨ନମ୍ବର ୱାର୍ଡ଼ରେ ଗରିବ, ନିରାଶ୍ରୟ ତଥା ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଛି । ଆଜି ସିଏମସି ସ୍ଥାନୀୟ ତିନିକୋଣିଆ ବାଗିଚାସ୍ତିତ ଶ୍ରୀ ଶ୍ରୀ ଷୋଳପୁଅ ମା’ ଠାକୁରାଣୀ ମନ୍ଦିର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ମହିଳା, ଶିଶୁ ଏବଂ ନିଗମର ସଫେଇ କର୍ମଚାରୀମାନଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା । ସମ୍ପ୍ରତି ଶୀତର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଗରିବ ଲୋକ ପାଖରେ ଶୀତବସ୍ତ୍ରର ବଞ୍ଚିତ ହୋଇଥାନ୍ତି । ଫଳରେ ଶୀତଦିନେ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବାବେଳେ ସେମାନଙ୍କୁ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଅନୁଷ୍ଠାନ ପକ୍ଷରୁ ଏଭଳି ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ମେୟର ସୁଭାଷ ସିଂହ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୀତବସ୍ତ୍ର ବିତରଣ କରିବା ସହ ସମାଜର ଦୁଃଖୀ ଓ ଦରିଦ୍ରମାନଙ୍କୁ କିଛିନାକିଛି ସାହାଯ୍ୟ କରିବା ଆମ ସମସ୍ତଙ୍କର ସମାଜ ପ୍ରତି କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ବୋଲି କହିଥିଲେ । ସେ ଅନୁଷ୍ଠାନକୁ ପ୍ରଶଂସା କରି ପୁଣି କହିଲେ ଯେ, ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଏଭଳି ଜନସେବା ପାଇଁ ହାତ ବଢ଼ାଇବା ଏକ ନିଶ୍ଚିତ ପ୍ରଶଂସନୀୟ ଉଦ୍ୟମ । ସେହିଭଳି ସିଏମସି ପକ୍ଷରୁ କଟକ ସହରକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯୋଜନା କରାଯାଇଛି; ତେବେ ଏହି ଯୋଜନାରେ ସମସ୍ତ ଜନସାଧାରଣ ସାମିଲ ହୋଇ ଐତିହସିକ କଟକ ସହରକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ । ସ୍ମୃତି ସଂସଦର ସଭାପତି କିଶନ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇ ସ୍ମୃତି ପରିଷଦର ବିଭିନ୍ନ ଜନସେବା କାର୍ଯକ୍ରମ ସମ୍ପର୍କରେ ସୂଚନା ଦେଇ ଆଗାମୀ ଦିନରେ ସିଏମସିର ଅନ୍ୟ ୱାର୍ଡରେ ମଧ୍ୟ ଶୀତବସ୍ତ୍ର ବିତରଣ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାର କାର୍ଯକ୍ରମ ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସାହି ମୂରବୀ ଲକ୍ଷ୍ମୀନାରାୟଣ ଚାର୍ଟ୍ଟାଜୀ, ମନୋଜ ଶର୍ମା, ରାଜେନ୍ଦ୍ର କୁମାର ନାୟକ, ଜଗନ୍ନାଥ ରାଓ, ଏମ୍.ଡି ଗୋରା, ଏସ. ଦୁର୍ଗା ରାଓ,ଏମ.ରାଜୁ,କିଶୋର ମହାନ୍ତି,ସ୍ମୃତିରଞ୍ଜନରାଉତ, ସୁଶୀଲ ଶର୍ମା,ଦେବକିଶୋର୍ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।