ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ସାଧାରଣ ପରିଷଦ ବୈଠକ

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ସାଧାରଣ ପରିଷଦ ବୈଠକ
ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁର ଆଚରଣ ଓ ଉତ୍ପୀଡ଼ନ ସର୍ବଦା ବର୍ଜନୀୟ- ମନ୍ତ୍ରୀ

News by I&PR Odisha

#ଭୁବନେଶ୍ୱର(ଏନ୍‌.ଏମ୍‌.): ଜୀବେ ଦୟା ନୀତିରେ ଆମ ସମସ୍ତଙ୍କୁ ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ କାର୍ଯ୍ୟ କରିବାକୁ ପଡ଼ିବ । ପ୍ରାଣୀମାନଙ୍କ ମଙ୍ଗଳ ଓ ସେମାନଙ୍କ ପ୍ରତି ସମୟ ସମୟରେ ହେଉଥିବା ନିଷ୍ଠୁର ଓ ଅମାନବୀୟ ଆଚରଣରୁ ସୁରକ୍ଷା ପ୍ରଦାନ ଦିଗରେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ପରିପ୍ରେକ୍ଷୀରେ ଏହାକୁ ଅଧିକ ସଶକ୍ତ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ତଥା ରାଜ୍ୟ ପ୍ରାଣୀମଙ୍ଗଳ ବୋର୍ଡର ଅଧ୍ୟକ୍ଷ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
କୃଷି ଭବନଠାରେ ଆୟୋଜିତ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସ୍ୱାଇଁ କହିଛନ୍ତି ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁର ଆଚରଣ ଓ ଉତ୍ପୀଡ଼ନ ସର୍ବଦା ବର୍ଜନୀୟ । ଏଥିପାଇଁ ପ୍ରାଣୀ ନିଷ୍ଠୁରତା ନିରୋଧ ଆଇନର କଡ଼ାକଡ଼ି ଅନୁପାଳନ କରାଯିବା ଆବଶ୍ୟକ । ପରିବର୍ତ୍ତିତ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାଣୀ ନିଷ୍ଠୁରତା ନିରୋଧ ଆଇନ-୧୯୬୦ର ପୁନଃସମୀକ୍ଷା କରି ସେଥିରେ ସମୟୋପଯୋଗୀ ନୂତନ ଧାରା ଯୋଡ଼ିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏଥିସହିତ ପ୍ରାଣୀ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଯୋଜନାଗୁଡ଼ିକର ବ୍ୟୟବରାଦ ଅର୍ଥକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବ୍ୟୟ କରି ଯୋଜନାର ସଫଳ ରୂପାୟନ ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୀଡ଼ିତ ପ୍ରାଣୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ହେଲ୍‌ପଲାଇନ୍ ନମ୍ବର ଓ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍‌ସ ସେବାକୁ ଅଧିକ କ୍ରୀୟାଶୀଳ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗରୁତ୍ୱାରୋପ କରିଥିଲେ । ଏଥିସହିତ ନିର୍ଦ୍ଧାରିତ ସମୟରେ ବୋର୍ଡର ବୈଠକ ଆୟୋଜନ କରି କାର୍ଯ୍ୟକ୍ରମଗୁଡ଼ିକର ନିୟମିତ ସମୀକ୍ଷା କରିବା ପାଇଁ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହିତ ପ୍ରାଣୀ ମଙ୍ଗଳ ନିମନ୍ତେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ତଥା ବୋର୍ଡର ସଦସ୍ୟ ସଚିବ ଡ. ୟେଦୁଲ୍ଲା ବିଜୟ, ପ୍ରାଣୀ ମଙ୍ଗଳ ବୋର୍ଡର ସଦସ୍ୟ ତଥା ମୋରଡା ବିଧାୟକ ରାଜ କିଶୋର ଦାସଙ୍କ ସମେତ ବୋର୍ଡର ସଦସ୍ୟବୃନ୍ଦ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *