ରାଜ୍ୟରେ ବନ୍ୟଜନ୍ତୁ ନୁହଁନ୍ତି ସୁରକ୍ଷିତ : ଆଠଗଡ଼ ଅଞ୍ଚଳରେ ପୁଣି ଏକ ଦନ୍ତାର ମୃତ ଦେହ ଠାବ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଖି ବୁଜିଲା ଗଜରାଜ !

#ଆଠଗଡ଼/ ଚୌଦ୍ୱାର/ କଟକ(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ବନ୍ୟଜନ୍ତୁ ସୁରକ୍ଷିତ ନଥିବା ଦେଖିବାକୁ ମିଳୁଛି । କେଉଁଠି ହରିଣ, ବାରହା ମୃତ୍ୟୁ ଦେଖିବାକୁ ମିଳୁଛି ତ ଆଉ କେଉଁଠି ଗଜରାଜ । ତେବେ ରାଜ୍ୟରେ ବର୍ତ୍ତମାନ ହାତୀ ମୃତ୍ୟୁ ଘଟଣା ଦିନକୁ ଦିନ ଯେଭଳି ବୃଦ୍ଧି ପାଉଛି ବୋଧହୁଏ ଆଉ କିଛି ଦିନ ପରେ ଓଡ଼ିଶାରେ ହାତୀ ଦେଖିବା କଷ୍ଟକର ହୋଇ ପଡ଼ିବ ବୋଲି ଚର୍ଚ୍ଚା । ଗୋଟିଏ ପଟେ ବନବିଭାଗ କର୍ମଚାରୀ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ଦୁନ୍ଦୁଭି ବଜାଉଥିବାବେଳେ ଅନ୍ୟପଟରେ ଗୋଟିଏ ପରେ ଗୋଟିଏ ବନ୍ୟଜନ୍ତୁଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଛି । ପୁନଶ୍ଚ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା ବନବିଭାଗ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ଆଳରେ ମଣିଷ ମାରିବାକୁ ମଧ୍ୟ ପଛାଉନଥିବା କୁହାଯାଉଛି । ତେବେ ଏଭଳି ଚର୍ଚ୍ଚିତ ଘଟଣା ପାଇଁ ଆଠଗଡ଼ ବନଖଣ୍ଡ ଏବେ ଆଗରେ । ଗତ କିଛି ଦିନତଳେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ଅଞ୍ଚଳରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁକୁ ନେଇ ଆଠଗଡ଼ ବନକର୍ମଚାରୀମାନେ ଧନେଶ୍ୱର ବେହେରା, ରାଜକିଶୋର ପ୍ରଧଶନ, ବିରଞ୍ଚି ଜାନ ଏବଂ ରାଜୀବ ସ୍ୱାଇଁଙ୍କୁ ଉଠାଇ ଆଣିଥିଲେ । ବନବିଭାଗ ହେପାଜତରେ ଥାଇ ଧନେଶ୍ୱରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ତଦନ୍ତ କରି ପୁଲିସ ଜାଣିବାକୁ ପାଇଲା ଯେ ବନ ବିଭାଗ କର୍ମଚାରୀମାନେ ଥାର୍ଡ଼ଡିଗ୍ରୀ ପ୍ରୟୋଗ କରିବା ଫଳରେ ଧନେଶ୍ୱରଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ବନବିଭାଗ କର୍ମଚାରୀ ମଧ୍ୟ ଗିରଫ ହୋଇଥିଲେ । ତେବେ ଗୋଟିଏ ହାତୀ ମୃତ୍ୟୁର ତଦନ୍ତ କରୁଥିବାବେଳେ ଅଡ଼ୁଆରେ ଛନ୍ଦି ହୋଇ ପଡ଼ିଥିବା ବନବିଭାଗ ଆଜି ପୁଣି ଗୋଟିଏ ଦନ୍ତାହାତୀର ମୃତ ଦେହକୁ ଠାବ କରିଛି । ଏହି ହାତୀଟି କିଭଳି ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା କୁହାଯାଉଛି । ସେହିଭଳି ମୃତ ହାତୀଟିର ବୟସ ୨୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
ଆଠଗଡ଼ ବନାଞ୍ଚଳର ନୂଆବନ୍ଧ ନୂଆତଇଲା କାଜୁ ଜଙ୍ଗଲରେ ହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ହାତୀର ଶୁଣ୍ଢରେ ଗଭୀର କ୍ଷତ ଚିହ୍ନ ରହିଛି । ନୂଆତଇଲା କାଜୁ ଜଙ୍ଗଲରେ ପରିବା ଚାଷ କରାଯାଇଥିବାବେଳେ ହାତୀ ଖାଦ୍ୟ ଅନ୍ୱେଷଣରେ ଆସି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ସେହିଭଳି କିଛି ଦିନ ତଳେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ଅଧୀନସ୍ଥ ରାଜବଲ୍ଲଭପୁର ରିର୍ଜଭ ଫରେଷ୍ଟ ଘୁମାଘାସୁଆ ପାହଡ଼ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଥିଲା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ, ରାଜ୍ୟରେ ଏବେ ବନ୍ୟଜନ୍ତୁ କେତେ ସୁରକ୍ଷିତ । ଗୋଟିଏ ପଟେ ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ପେଟ ବିକଳରେ ବନ୍ୟଜନ୍ତୁ ଗ୍ରାମାଭିମୁଖୀ ହେଉଥିବାବେଳେ ଅନ୍ୟପକ୍ଷରେ ମଣିଷ ନିଜର କ୍ଷତିକୁ ରୋକିବା ପାଇଁ ବନ୍ୟଜନ୍ତୁଙ୍କ ପ୍ରାଣ ନେବାକୁ ପଛାଉ ନାହାନ୍ତି । ତେବେ ବନ୍ୟଜନ୍ତୁ ଓ ମଣିଷଙ୍କ ମଧ୍ୟରେ ଏହି ଅଘୋଷିତ ଯୁଦ୍ଧର ଅନ୍ତ କେବେ ଘଟିବ । ରାଜ୍ୟସରକାରଙ୍କ ବନ ବିଭାଗ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କିଭଳି ପଦକ୍ଷେପ ନେଉଛି ? ଆଉ ବନ୍ୟଜନ୍ତୁଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମଣିଷ କିଭଳି ସୁରକ୍ଷା ପାଇବ । ତେଣୁ ବନ୍ୟଜନ୍ତୁଙ୍କ ଯୋଗୁ ମଣିଷ ଓ ମଣିଷଙ୍କ ଯୋଗୁ ବନ୍ୟଜନ୍ତୁଙ୍କ କ୍ଷତିର କେବେ ପରିସମାପ୍ତି ହେବ । ଏ ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ସମୟକୁ ଅପେକ୍ଷା ।