ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି


ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି କରୋନାର ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନର ସମସ୍ତ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନରଙ୍କୁ ଦେଇଥିବାବେଳେ ଏ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ହାଇକୋର୍ଟଙ୍କ ଗତ ଡିସେମ୍ବର ୨୨ ତାରିଖ ରାୟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟର ଧାରା ୧୨ର ରୁଲ୍ ୧୩ ପ୍ରାବଧାନ ଅନୁସାରେ ଜାନୁଆରୀ ୮ତାରିଖରେ ବିଜ୍ଞପ୍ତି ଜାରି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ ଓଡ଼ିଶା ଜିଲ୍ଲା ପରିଷଦ ଆକ୍ଟ-୧୯୯୧ର ଧାରା ୧୭ର ପ୍ରାବଧାନ ଅନୁସାରେ ସମସ୍ତ ଜିଲ୍ଲା ପରିଷଦରେ ସଭ୍ୟ ନିର୍ବାଚନ କରିବାକୁ ସମ୍ମତି ଦେଇଛନ୍ତି । ସେହିପରି ଓଡ଼ିଶା ପଞ୍ଚାୟତ ସମିତି ଆକ୍ଟ-୧୯୫୯ ଏବଂ ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ରୁଲସ-୧୯୯୧ର ରୁଲ-୪(୧) ପ୍ରାବଧାନ ଅନୁସାରେ ସମସ୍ତ ପଞ୍ଚାୟତ ସମିତିରେ ସଭ୍ୟ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ-୧୯୬୪ର ଧାରା-୧୨(୧ ଓ ୨), ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ରୁଲସ-୧୯୬୫ର ରୁଲ ୧୩ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର କେବଳ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତରେ ୱାର୍ଡ ସଭ୍ୟ ଓ ପଞ୍ଚାୟତ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି ।

-Advertisement-

ରାଜ୍ୟରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରହିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏହି ଗେଜେଟ୍ ବିଜ୍ଞପ୍ତି ଜାରି ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ଖୁବଶୀଘ୍ର ତାରିଖ ଘୋଷଣା କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସୂତ୍ର ଅନୁସାରେ ଆସନ୍ତା କାଲି ୧୦ ତାରିଖ ଅପରାହ୍ନରେ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା ହେବ । ତେବେ ରାଜ୍ୟ ନିର୍ବାଚନ କମିଶନର ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଓ ୧୨ ତାରିଖରେ ଜିଲ୍ଲାପାଳ ଓ ଏସପିଙ୍କ ବୈଠକ ଡାକିଛନ୍ତି । ଆଜିର ବୈଠକ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେଉଥିବା ନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ