ରାଜବୀରକୁ ସହାୟତାର ହାତ ବଢାଇଲା ‘କୋଣାର୍କ ପରିବାର’

କୋଣାର୍କ (ଏନ୍.ଏମ୍.): ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ଫୁଲବାଣୀ ଜିଲ୍ଲା କନ୍ଧମାଳ ଆମ୍ବାପଡା ଗ୍ରାମର ନିଷ୍ପାପ ଶିଶୁ ରାଜବୀର ରଣାକୁ ବଞ୍ଚାଇବା ପାଇଁ ବାପା ଓ ମାଙ୍କ ଆକୁଳନ ନିବେଦନ ଶୁଣିବା ପରେ କୋଣାର୍କର ସ୍ୱେଛାସେବୀ ସଙ୍ଗଠନ ‘କୋଣାର୍କ ପରିବାର’ର ସଦସ୍ୟମାନେ ସହାୟତାର ହାତ ବଢାଇଛନ୍ତି । ଏହି ରୋଗରୁ ମୁକ୍ତି ପାଇଁ ନିଦ୍ଧିଷ୍ଟ ସମୟ ମଧ୍ୟରେ ୧୬କୋଟି ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନର ଆବଶ୍ୟକତା ରହିଛି । ପୁଅର ଜୀବନ ବଞ୍ଚାଇବା ପାଇଁ ବାପା ଓ ମା ରାଜ୍ୟ ସରକାର, ମନ୍ତ୍ରୀ ଓ ନେତାଙ୍କ ଠାରୁ ଆରମ୍ଭ କରି ରାଜ୍ୟବାସୀଙ୍କୁ ଆକୁଳ ନିବେଦନ କରୁଛନ୍ତି । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ଓ ସାମଜିକ ଗଣମାଧ୍ୟମରୁ ରାଜ୍ୟବାସୀ ଅବଗତ ହେବା ପରେ ଦେବଦୂତ ସାଜି ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା କରୁଛନ୍ତି । ରାଜବୀରର ଜୀବନ ବଞ୍ଚାଇବା ନିମନ୍ତେ ଗୁଣ୍ଡୁଚି ମୂଷା ସାଜି ଆଗେଇ ଆସିଛନ୍ତି କୋଣାର୍କର ଅର୍ଗଣୀ ସ୍ୱେଛାସେବୀ ସଂଗଠନ ‘କୋଣାର୍କ ପରିବାର’ର ସଦସ୍ୟମାନେ । ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା କରିବା ସହ କୋଣାର୍କ ବଜାରର ବ୍ୟବସାୟୀ, ବାସିନ୍ଦା ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥବା ପର୍ଯ୍ୟଟକ, ସ୍କୁଲ, କଲେଜ ଓ ନିକଟସ୍ଥ ଗ୍ରାମବାସୀଙ୍କ ଠାରୁ ଅର୍ଥ ଭିକ୍ଷା କରିଛନ୍ତି । ଯାହାକି ପରବର୍ତ୍ତି ସମୟରେ ରାଜବୀରର ଚିକିତ୍ସା ପାଇଁ ଯୋଗାଇ ଦିଆଯିବ । ଖବର ଲେଖା ହେଲା ବେଳକୁ ୩୦ହଜାର ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟରେ ‘କୋଣାର୍କ ପରିବାର’ର ସଭାପତି କାହ୍ନୁଚରଣ ପାତ୍ର, ସମ୍ପାଦକ ଅନିଲ ସ୍ୱାଇଁ, କୋଷାଧ୍ୟକ୍ଷ ସତ୍ୟଜିତ ସାହୁ, ବଳରାମ ପାତ୍ର, ରାଜେଶ କୁମାର ସାହୁ, ରାଜେନ୍ଦ୍ର ମଲ୍ଲିକ, ସୂର୍ଯ୍ୟକାନ୍ତ ଦଳାଇ, ବିଶାଲ ଦାସ ଓ ସୁଭାଶିସ ସାହୁ ପ୍ରମୁଖଙ୍କର ଏଭଳି ସେବା ମନବୃତିକୁ ଦେଖି ଲୋକେ ପ୍ରଶଂସା କରିବା ସହ ସହାୟତ ମଧ୍ୟ କରୁଛନ୍ତି ।