ରାଜନୈତିକ ଚର୍ଚ୍ଚା: ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସର କିଛି ସମୟ ପରେ ଫଳକ ତାଡ଼ିଦେଲେ ଲୋକେ
ଜଗତପୁର(ଏନ୍.ଏମ୍.): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କିଭଳି ଏକଜୁଟ ହୋଇ ନିର୍ବାଚନ ବୈତରଣୀ ପାର ହେବେ ସେ ନେଇ ଅଙ୍କକଷା ମଧ୍ୟ ଆରମ୍ଭ ହୋଇ ଗଲାଣି । ନିଜ ଦଳର ନେତା ଓ କର୍ମୀମାନଙ୍କୁ ନେଇ ଦଳକୁ ତୃଣମୂଳସ୍ତରରୁ ଅଧିକ ମଜଭୁତ କରିବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଆସନ୍ତା ୨୬ ତାରିଖରେ ୨୫ବର୍ଷର ପୂର୍ତ୍ତି ପାଳନ କରିବାକୁ ସଜବାଜ ହେଉଥିବାବେଳେ ଜଗତପୁର ଅଞ୍ଚଳରେ ବିଜେଡିରେ ଅନ୍ତକନ୍ଦଳ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେଉଛି । ତେବେ ଦଳ ଭିତରେ ଅନ୍ତଦ୍ୱର୍ନ୍ଦ ସୃଷ୍ଟି ହେବାର ସ୍ପଷ୍ଟ ପ୍ରମାଣ ମିଳିଛି କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ ଜଗତପୁର ଠାରେ । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ସ୍ଥାନୀୟ ଭୁବନପୁର ଠାରେ ଡବଲ ଡ୍ରେନ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିବାବେଳେ ଘଣ୍ଟାଏ ନପୁରୁଣୁ ଫଳକ ଭଙ୍ଗାଯିବା ଘଟଣା ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିଲା । ଏପରିକି ଫଡ଼ଳ ପାଇଁ ନିର୍ମାଣ ହୋଇଥିବା ବେସରୁ ଲେଖାଫଳକ ଗାଏବ ହୋଇ ଯାଇଥିଲା । ଏହି ଫଳକୁ ଅନ୍ୟତ୍ର ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ଏ ନେଇ ଜଗତପୁର ଥାନାରେ ଅଭିଯୋଗ ହେବା ସହ ପୁଲିସ ମଧ୍ୟ ଅଞ୍ଚଳରେ ପଇଁତରା ମାରିଥିଲା । ତେବେ ଅନ୍ୟ କୌଣସି ଦଳର କର୍ମୀମାନେ ଏଭଳି କରିଥିବା କୁହାଯାଉଥିବାବେଳେ ପରବର୍ତ୍ତୀ ସମୟରେ ନିଜ ଦଳର ଲୋକେ ଏଭଳି କରିଥିବା ଜଣାପଡ଼ିଥିଲା । ତେବେ ଏଠାରେ ରାସ୍ତା ମାପଚୁପ କରିବା ପରେ ରାସ୍ତା ଓ ଡ୍ରେନ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ । ମାତ୍ର ଏ ସବୁକୁ ଅଣଦେଖା କରାଯାଇ ଅତି ତରବରିଆ ଭାବେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । ଫଳରେ ଅଞ୍ଚଳବାସୀଙ୍କ ସହିତ ଦଳୀୟ କର୍ମୀମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯାହା ଏଭଳି ଘଟଣା ତାହାର ପ୍ରତିଫଳନ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ବିଧାୟକଙ୍କ ଶିଳାନ୍ୟାସ ପରେ ଏହାକୁ ନିଜ ଦଳର କର୍ମୀମାନେ ତାଡିଦେବା ପଛରେ କ’ଣ ରହସ୍ୟ ରହିଛି । ସ୍ଥାନୀୟ ନେତୃତ୍ୱଙ୍କ ସହ କର୍ମୀମାନଙ୍କ ମଧ୍ୟରେ ସମ୍ପର୍କରେ ଟିକେ ଦୂରତ୍ୱ ବୃଦ୍ଧି ପାଇଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଯାହା ବିଧାୟକଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ମଧ୍ୟ ଚର୍ଚ୍ଚା ହେଉଛି ।