ରାଇରଙ୍ଗପୁର ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୦ତମ ଛଉନୃତ୍ୟ ପ୍ରତିଯୋଗିତା

#ରାଇରଙ୍ଗପୁର(ଏନ୍.ଏମ୍.): ରାଇରଙ୍ଗପୁର ବସ ଷ୍ଟାଣ୍ଡ ନିକଟସ୍ଥ ଛଉପଡିଆ ଠାରେ ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ତ୍ରିଦୀବସୀୟ ୪୦ତମ ଛଉନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାମନଘାଟୀ ଉପଜିଲ୍ଲାପାଳ ସରୋଜ ଦାସ ଯୋଗଦେଇ ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟରେ ବାମନଘାଟୀ ଉପଖଣ୍ଡରେ ଥିବା ଛଉ ଅନୁଷ୍ଠାନ, ନୃତ୍ୟ ଗୁରୁ ଓ କଳାକାରଙ୍କ ଅବଦାନ ଅବର୍ଣ୍ଣନୀୟ ବୋଲି କହିଥିଲେ । ପ୍ରଥମ ଦିନ ବାଦଡା, ରେଙ୍ଗଲବେଡା, ତାଳଗାଁ, ବଡ଼ଗାଁ, ଜାମପାଣି, ଉପରବେଡା, ତେଣ୍ଟପୋଷି, ତଳାପାତି ଓ ଜଟାପାଣି ସମେତ ୧୦ଟି ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାରମାନେ ଛଉ ନୃତ୍ୟ ପରିବେଷଣ କରିଥିଲେ । ଦିତୀୟ ଦିନେ ୧୨ ଟି ଛଉ ନୃତ୍ୟ ପ୍ରତିଷ୍ଠାନ ସାନସିମଳା, ଅଁଳାଯୋଡି, ରେଙ୍ଗଲବେଡା, ଦେଉଳ ସାହି, ତିଖିଆ, ଲୁହାକାନୀ, ରଙ୍ଗାମାଟିଆ, କାଣ୍ଡସର, ବେଲପୋଷି, ରାଇହରି, ଜଲଡିହା, ଏବଂ ଆମଲା ବେଡା ଗାଁର ଛଉ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଉଦ୍ଯାପନୀ ଦିନ ମନୋରଞ୍ଜନ ପାଇଁ ଷଢେଇ କଳା ଛଉ ଏବଂ ପୁରୁଲିଆ ଛଉ ନୃତ୍ୟ ନୃତ୍ୟଗୁରୁ ତପନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ସମ୍ପାଦକ ଦୁଷ୍ମନ୍ତ କୁମାର ବସା, ଉପସଭାପତି ଦ୍ୱାରିକାନାଥ ମହାନ୍ତ, ଉପଦେଷ୍ଟା ବିଜୟ କୁମାର ରାମ, ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାତା ସାରଳା ପୁରସ୍କାର ପ୍ରାପ୍ତ ସ୍ୱର୍ଗୀୟ ଗିରିଶଚନ୍ଦ୍ର ମହାନ୍ତଙ୍କ ଝିଅ ଅବନ୍ତୀ ମହାନ୍ତ ଓ ଛଉ ନୃତ୍ୟଗୁରୁ ତ୍ରିଲୋଚନ ମହାନ୍ତ ପ୍ରମୁଖ ଉପସ୍ଥିତଥିଲେ । କଥାଶିଳ୍ପୀ ଲଳିତ କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ । ଦୀର୍ଘ ୨୫ ବର୍ଷ ଧରି ସମ୍ପାଦକ ଦାୟିତ୍ୱ ତୁଲାଉଥିବା ଦୁଷ୍ମନ୍ତ କୁମାର ବସା ସମ୍ପାଦକୀୟ ପାଠ କରିଥିଲେ ।
ମୁଖ୍ୟଅତିଥି ନବଚରଣ ମାଝୀ ବାମନଘାଟୀ ଅଞ୍ଚଳରେ ଏକ ଛଉନୃତ୍ୟ ଏକାଡେମୀ ଖୋଲିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଯାହାଫଳରେ ଛଉ କଳା ବଞ୍ଚିବା ସହ ଯୁବ ଛଉ କଳାକାରମାନେ ଉତ୍ସାହିତ ହେବେ । ବିଶ୍ୱ ଦରବାରରେ ଛଉର ପ୍ରଚାର ଓ ପ୍ରସାର ବଢିବ ବୋଲି କହିଥିଲେ । ଉପଦେଷ୍ଟା ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ । ଗତ ଦୁଇଦିନ ଧରି ହୋଇଥିବା ଛଉନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ଭାବେ ରେଙ୍ଗାଳବେଡା ଛଉନୃତ୍ୟ ପ୍ରତିଷ୍ଠାନ, ଦ୍ୱିତୀୟରେ ଭଞ୍ଜଭୂମି ଛଉନୃତ୍ୟ ପ୍ରତିଷ୍ଠାନ, ତୃତୀୟରେ ବାଦଡା ଛଉନୃତ୍ୟ ପ୍ରତିଷ୍ଠାନ, ଚତୁର୍ଥରେ ଜେ.ପି.ଏମ୍ ଛଉନୃତ୍ୟ ପ୍ରତିଷ୍ଠାନ ଓ ପଞ୍ଚମ ଭାବେ ବାମନୀ ପାହାଡ ଛଉନୃତ୍ୟ ପ୍ରତିଷ୍ଠାନକୁ ମୁଖ୍ୟଅତିଥି ମାନପତ୍ର ଓ ଉତ୍ତରୀୟ ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ନୃତ୍ୟଗୁରୁ ତ୍ରିଲୋଚନ ମହାନ୍ତ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ପୁନଶ୍ଚ ଆଜୀବନ ସାଧନା ଓ ବାମନଘାଟୀର ଛଉ ପ୍ରତିଷ୍ଠାନର ଦାୟିତ୍ୱ ସ୍ୱର୍ଗୀୟ ଗିରିଶ ଚନ୍ଦ୍ର ମହାନ୍ତିଙ୍କ ପରେ ଦୁଷ୍ମନ୍ତ ବସା ନିରବଚ୍ଛିନ୍ନ ଭାବରେ ଆଜିଯାଏଁ ତୁଲାଉଥିବାରୁ ତାଙ୍କୁ ବିଶିଷ୍ଟ ଅତିଥି ଅବନ୍ତି ମହାନ୍ତ ଉତ୍ତରୀୟ, ମାନପତ୍ର ଓ ମେଡାଲ ଦେଇ ସମ୍ମାନିତ କରିଥିଲେ ।