ଯୋବ୍ରା ବ୍ୟାରେଜରେ ଲାଗିଲା ହାତୀର ମୃତଦେହ
କଟକ (ଏନ୍.ଏମ୍.): କଟକ ଯୋବ୍ରାସ୍ଥିତ ମହାନଦୀ ବ୍ୟାରେଜରେ ଆଜି ଏକ ହାତୀର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଗତକାଲି ନରାଜ ଠାରେ ଏକ ହାତୀ ଛୁଆ ମରି ଭାସୁଥିବାବେଳେ ତାକୁ ଉଦ୍ଧାର କରାଯାଇ ପୋତା ଯାଇଥିବାବେଳେ ଆଜି ମହାନଦୀର ଯୋବ୍ରା ବ୍ୟାରେଜ ଠାରେ ଏକ ବଡ଼ ହାତୀ ମରି ଭାସୁଥିବା ଦେଖିବାକୁ ମିଳିଛି । ଯୋବ୍ରା ବ୍ୟାରେଜର ଗୋଟିଏ ଗେଟ୍ ଦେଇ ପାଣି ଯାଉଥିବା ବେଳେ ସେଠାରେ ହାତୀଟିର ଗୋଡ଼ ଦେଖାଯାଉଛି । ତେବେ ଏହି ହାତୀଟି ଗତ ଶୁକ୍ରବାର ମୁଣ୍ଡଳି ବ୍ରିଜ୍ ନିକଟରେ ଫସି ଥିବା ହାତୀ କି ନୁହେଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବନ ବିଭାଗ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନଥିବା ବେଳେ ଦୀର୍ଘ ସମୟ ଧରି ବ୍ୟାରେଜ ଫାଟକ ଠାରେ ମୃତ ହାତୀଟି ଅଟକି ରହିଥିବାବେଳେ ଶେଷରେ ବ୍ୟାରେଜ ଫାଟକ ଖୋଲି ମୃତ ହାତୀଟିକୁ ତଳକୁ ଛାଡ଼ି ଦିଆଯାଇଛି । ତଳ ମୁଣ୍ଡରେ ଲାଗିବା ପରେ ଏହାକୁ ପାଣିରୁ ଅଣାଯିବ ବୋଲି ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ମାତ୍ର ଏହି ମୃତ ହାତୀକୁ ଦେଖିବା ପାଇଁ ବ୍ୟାରେଜରେ ପ୍ରବଳ ଜନଗହଳି ହେବା ସହିତ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କମିଶନରେଟ ପୁଲିସ ପକ୍ଷରୁ ସେଠାରେ ପହରା ଦିଆଯାଉଥିଲେ ମଧ୍ୟ ଭିଡ ନିୟନ୍ତ୍ରଣ ହୋଇ ପାରିନଥିଲା । ଏପରିକି ସେଠାରେ କରୋନା କଟକଣାକୁ ସମ୍ପୂର୍ଣ୍ଣ ଅଣଦେଖା ମଧ୍ୟ କରାଯାଇଥିଲା ।
ସୂଚନା ଅନୁଯାୟୀ ଗତ ଶୁକ୍ରବାର ମୁଣ୍ଡଳି ବ୍ରିଜ୍ ନିକଟରେ ମହାନଦୀରେ ଏକ ଦନ୍ତା ହାତୀ ଦୀର୍ଘ ସମୟ ଧରି ଫସି ରହିଥିଲା । ଏହି ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ଟିମ୍ର ଏକ ବୋଟ୍ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ସହିତ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ଘଟିଥିଲା । ବୋଟ୍ ଦୁର୍ଘଟଣା ପରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀଟି ମୁଣ୍ଡଳି ବ୍ରିଜ୍ ନିକଟରେ ନଦୀ ଭିତରେ ସେମିତି ଛିଡ଼ା ହୋଇ ରହିଥିଲା । ଲୋକେ ନିଆଁ ଲଗାଇ ତାକୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ମାତ୍ର ସକାଳେ ହାତୀଟି ସେଠାରେ ଆଉ ନଥିଲା । ହାତୀଟି ସୁରକ୍ଷିତ ଭାବେ ସେଠାରୁ ଚାଲି ଯାଇଥିଲା କି ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ବୁଡ଼ି ଯାଇଥିଲା, ସେ ନେଇ ବନ ବିଭାଗ ବା ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଅନ୍ୟପକ୍ଷରେ ଦୀର୍ଘ ସମୟ ଧରି ହାତୀଟି ବାହାରିବା ପାଇଁ ବ୍ରିଜର ଡାହାଣରୁ ବାମକୁ ଯାଉଥିଲେ ମଧ୍ୟ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ଭୟରେ ହାତୀଟି ପାଣିରୁ ବାହାରିନଥିବା ଚର୍ଚ୍ଚା ହେଉଛି । ତେଣୁ ସେଠାରେ ମଧ୍ୟ ପୁଲିସ କର୍ମଚାରୀମାନେ ଡ୍ୟୁଟି କରିଥିଲେ ମଧ୍ୟ ଲୋକଙ୍କୁ ଘଉଡ଼ାଇବା ପରିବର୍ତ୍ତେ ନିଜେ ହାତୀଟିର ଫଟୋ ମୋବାଇଲରେ ଉଠାଇ ମଜା ନେଉଥିବାର ଦୃଶ୍ୟ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ତେଣୁ ଅସ୍ୱାଭାବିକ ଜନଗହଳି ଯୋଗୁଁ ବିଭିନ୍ନ ଅଘଟଣ ଘଟିଲା ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ ବାଢ଼ିଛନ୍ତି । ସେହିଭଳି ଆଜି ମଧ୍ୟ ଯୋବ୍ରା ବ୍ୟାରେଜ ଠାରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା । ତେଣୁ ପୁଲିସର ଖାମଖିଆଲି ନୀତିକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା ପ୍ରକାଶ କରାଯାଇଛି ।