ଯୋଗାଣ ବିଭାଗର ଚଢ଼ାଉ: ୨୦କ୍ୱିଣ୍ଟାଲ ଗହମ ଜବତ
#କଟକ(ଏନ୍.ଏମ୍.): ସମ୍ପ୍ରତି ଖାଦ୍ୟସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସମସ୍ତ ଗରିବ ତଥା ପ୍ରକୃତ ହିତାଧିକାରୀଙ୍କ ଅତ୍ୟାବଶ୍ୟକୀୟ ସମଗ୍ରୀ ଯୋଗାଇ ଦିଆଯାଉଥିବାବେଳେ ଏଥିରେ ବ୍ୟାପକ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲାରେ ଏଭଳି ବାରମ୍ବାର ଅଭିଯୋଗ ପାଇବା ପର ଆଜି ଜିଲ୍ଲା ଯୋଗାଣ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଜିଲ୍ଲାର ମାହାଙ୍ଗା ଓ ସାଲେପୁର ଅଞ୍ଚଳର ବିଭିନ୍ନ ଖାଉଟୀ ବଣ୍ଟନ କେନ୍ଦ୍ରରେ ଅଚାନକ ଚଢ଼ାଉ କରିଥିଲେ । ଏହି ଅବସରରେ ମାହାଙ୍ଗା ବ୍ଲକର ହଳଦିଆ ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଗ୍ରାମର ସୁବାସ ଚନ୍ଦ୍ର ପ୍ରଧାନ ଏବଂ ମଉଦା ଗ୍ରାମର ମହେନ୍ଦ୍ର ଦାସଙ୍କ ନିକଟରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା । ତେଣୁ ତାଙ୍କ ଠାରୁ ୪୦ ପ୍ୟାକେଟ ବା ୨୦କ୍ୱିଣ୍ଟାଲ ଗହମ ଜବତ କରାଯାଇଥିଲା । ପୁନଶ୍ଚ ସାଲେପୁର ବ୍ଲକର ନାନ୍ଦୋଳ ପଞ୍ଚାୟତ ବଟାପୁର ଗ୍ରାମର ସେକ୍ ରିୟାସତ ତୁଲ୍ଲାଙ୍କର ମଧ୍ୟ ଅନିୟମତତା ହୋଇଥିବା ଜଣାପଡ଼ିଥିଲା । ଚଢ଼ାଉ ସମୟରେ ଅନିୟମିତତା କରିଥିବା ଅଧିକାରୀ ଓ କର୍ମଚାରୀ ତଥା ଡିଲରମାନଙ୍କ ବିରୋଧରେ ଅତ୍ୟାବଶ୍ୟକ ଆଇନ ଧାରା ୭ଅନୁଯାୟୀ ମାମଲା ରୁଜ୍ଜୁ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ତେବେ ଏହି ଚଢ଼ାଉ ସମୟରେ ଅତିରିକ୍ତ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର, ଦେବାଶିଷ ମହାନ୍ତି, ଯୋଗାଣ ନିରୀକ୍ଷିକା ମଧୁସ୍ମିତା ମାଝୀ, ସ୍ମୃତିମୟୀ ବେହେରା, ଯୋଗାଣ ନିରୀକ୍ଷକ ଦିପ୍ତିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତଥିଲେ ।