ଯୁବ ଆଇନଜୀବୀଙ୍କ ସମସ୍ୟା ନେଇ ରାଜ୍ୟପାଳକୁ ୫ଦଫା ସ୍ମାରକପତ୍ର ପ୍ରଦାନ: ଷ୍ଟାଇପେଣ୍ଡ ଦାବି
#କଟକ(ଏନ.ଏମ.): ଯୁବ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ନେଇ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଭେଟି ଏକ ୫ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାରେ ଯୁବ ଆଇନଜୀବୀ ନାନାଦି ସମସ୍ୟା ଭୋଗ କରୁଛନ୍ତି ହେଲେ ଏଥି ପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି, ଯାହାର ଆଶୁ ସମାଧାନ ପାଇଁ ରାଜ୍ୟପଳ ପ୍ରତିଶୃତି ଦେଇଛନ୍ତି । ସୂଚନାନୁଯାୟୀ, ୧୦ବର୍ଷରୁ କମ୍ ଅଭିଜ୍ଞତା ଥିବା ଯୁବ ଆଇନଜୀବୀମାନଙ୍କ ପାଇଁ କେରଳ, ଆନ୍ଧ୍ର ପ୍ରଦେଶ ଓ ଦିଲ୍ଲୀ ଭଳି ଅନେକ ରାଜ୍ୟରେ ଷ୍ଟାଇପେଣ୍ଡର ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ତାହା ନାହିଁ । ଗମନାଗମନ ପାଇଁ ପାସ୍ ପ୍ରଦାନ କରିବା, ମହିଳା ଆଇନଜୀବୀଙ୍କ ପାଇଁ ବିଶ୍ରାମ କକ୍ଷ, ରାଜ୍ୟର ପ୍ରତ୍ୟେକ ବାର୍ରେ ଉନ୍ନତଧରଣର ଲାଇବ୍ରେରୀ ପ୍ରତିଷ୍ଠା, ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ଶିଳ୍ପାନୁଷ୍ଠାନମାନଙ୍କରେ ଇଣ୍ଟର୍ନସିପ୍ ସୁବିଧା ପ୍ରଦାନ କରିବା, ଯୁବ ଆଇନଜୀବୀମାନଙ୍କ ପାଇଁ ବାସସ୍ଥାନ ଓ ବୀମା ସୁବିଧା ଆଦି ପ୍ରଦାନ କରିବା ସହ ବାର୍ରେ ପଞ୍ଜିକରଣ ନିମନ୍ତେ ଦେୟକୁ କମ୍ କରିବା ଭଳି ଅନେକ ଗୁରୁତର ସମସ୍ୟାଗୁଡିକୁ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା । ଉକ୍ତ ପ୍ରତିନିଧି ମଣ୍ଡଳୀରେ ସୁମନ୍ତ ମଲ୍ଲିକ, ପ୍ରତିଷ୍ଠା ଚିନ୍ନାରା, ଗୌତମ ଲେଙ୍କା, ସଞ୍ଜିବ ଦାସ, ବ୍ରଜ ନନ୍ଦ, ସିଦ୍ଧାନ୍ତ ଜେନା, ସ୍ମାରକ ପ୍ରଧାନ, ମେଘନା ପୃଷ୍ଟି ଓ ସମ୍ପର୍ଣ୍ଣା ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।