ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର (ଏନ୍.ଏମ୍.): ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଛାତ୍ରଛାତ୍ରୀମାନେ ଅଗଷ୍ଟ ୨୦ ତାରିଖ ଦିନ ୧୧ଟାରୁ ଅନଲାଇନରେ ଆବେଦନ କରିପାରିବେ । www.dhe.odisha.gov.in ଏବଂ www.samsodisha.gov.inରେ ଅନଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ । ସେପ୍ଟେମ୍ବର ୪ ତାରିଖ ରାତି ୧୧.୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ । ସେପ୍ଟେମ୍ବର ୯ ତାରିଖ ଦିନ ୧୧ଟାରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ । ସେପ୍ଟେମ୍ବର ୯ ତାରିଖ ଦିନ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆଡମିସନ ଫି’ ଦାଖଲ କରିବେ । ସେପ୍ଟେମ୍ବର ୨୧ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଦ୍ୱିତୀୟ ମେରିଟ୍ ଲିଷ୍ଟରେ ଯେଉଁ ଛାତ୍ରଛାତ୍ରୀମାନଙ୍କ ନାମ ଥିବ, ସେମାନେ ୨୧ରୁ ୨୪ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଆଡମିସନ ଫି’ ଦାଖଲ କରିବେ ।
ସୂଚନାଯୋଗ୍ୟ, ଇତି ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟର ରେଜଲ୍ଟ ପ୍ରକାଶ ପାଇ ସାରିଛି । ଚଳିତ ବର୍ଷ କରୋନା ଯୋଗୁଁ ପରୀକ୍ଷା ହୋଇ ନଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ରେଜଲ୍ଟ ପ୍ରକାଶ କରାଯାଇଛି । ମାଟ୍ରିକ୍ ନମ୍ବର ଆଧାରରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯାଇଥିବା ବେଳେ ପାସ୍ ହାର ରେକର୍ଡ କରିଛି ।