ଯାଜପୁର ନିର୍ବାଚନୀ ହିଂସା: ଏଯାଏ ୯୮ ଜଣ ଗିରଫ ହେଲେଣି
ଯାଜପୁର(ଏନ୍.ଏମ୍.): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଶେଷ ହୋଇଛି । ଏହି ଅବସରରେ ରାଜ୍ୟର ୨୭ଟି ଜିଲ୍ଲାରେ ମତଦାନ ହୋଇଛି । ରାଜ୍ୟର ୬୪ଟି ବ୍ଲକର ୧୬୩ଟି ଜିଲ୍ଲାପରିଷଦ ଜୋନରେ ମତଦାତାମାନେ ପ୍ରତିନିଧିଙ୍କୁ ଭୋଟ ଦେଇଛନ୍ତି । ମୋଟ ୧୭ହଜାର ୦୮୯ଟି ବୁଥରେ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ତେବେ ଏହା ପୂର୍ବରୁ ହୋଇଥିବା ଅନ୍ୟ ତିନୋଟି ପର୍ଯ୍ୟାୟ ମତଦାନ ବେଳେ ଯାଜପୁର ଜିଲ୍ଲାରେ ବ୍ୟାପକ ହିଂସା ଦେଖା ଦେଇଥିଲା । କେଉଁଠି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା ତ ଆଉ କେଉଁଠି ଗାଡି ଭଙ୍ଗାରୁଜା । ସେହିପରି ଆଉ କେଉଁଠି ବୁଥ ଭିତରୁ ବାଲାଟ ବକ୍ସ ଚୋରାଇ ନେଇଥିଲେ ଦୁର୍ବୃତ୍ତ । ଏ ସମସ୍ତ ନିର୍ବାଚନୀ ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧ ୯୮ ଜଣଙ୍କୁ ଗିରଫ କରିଛି ପୁଲିସ । ଏନେଇ ଯାଜପୁର ଏସ୍ପି ରାହୁଲ ପିଆର୍ ସୂଚନା ଦେଇଛନ୍ତି । ପୁଲିସ ସୂଚନା ଅନୁସାରେ ନିର୍ବାଚନୀ ହିଂସା ମାମଲାରେ ଗତକାଲି ୬୯ ଜଣଙ୍କ ସମେତ ମୋଟ ୯୮ଜଣଙ୍କୁ ଗିରଫ କରାଯାଇଛି । ସେହିପରି ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଏଯାଏଁ ୧୨ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି । ସେପଟେ ଯାଜପୁର ଜିଲ୍ଲାରେ ରାଜନୈତିକ ହିଂସା ଓ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଯିଏ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଏସପି ରାହୁଲ ପିଆର କହିଛନ୍ତି । ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହୋଇଥିବାରୁ ଶାନ୍ତିଶୃଙ୍ଖଳା ବଜାଏ ରଖିବା ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଥିବା ଏସପି ସୂଚନା ଦେଇଛନ୍ତି ।