ମୟୂରଭଞ୍ଜ ସୁଲାଇପାଟରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ
#ରାଇରଙ୍ଗପୁର(ଏନ୍.ଏମ୍.): ମୟୂରଭଞ୍ଜ ଜିଲ୍ଲାର କୁସୁମିତ ବ୍ଳକର ମୟୂରର ପଞ୍ଚାୟତର ସୁଲାଇପାଟ ଖେଳ ପଡ଼ିଆରେ ସାରସ୍ୱତ ନିର୍ବାଚନ ମଣ୍ଡଳୀସ୍ତରୀୟ ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜେଡିର ୨୬ ତମପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କୁସୁମିତ ବ୍ଳକ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାରସକଣା, ବିଜାତଳା, ବିଶୋଇ ଏବଂ କୁସୁମିତ ବ୍ଳକର ବିଜେଡିର ଦଳୀୟ କର୍ମକର୍ତ୍ତା, ସରପଞ୍ଚ, ସମିତି ସଭ୍ୟ ଜିଲ୍ଲା ପରିଷଦ ସଦସ୍ୟ, କର୍ମୀ ଓ ଶୁଭେଛୁ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାରସକଣା ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ତଥା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ ବିଧାୟକ ଭାଦବବ ହାଁସଦା, ବିଶୋଇ ବ୍ଳକ ଅଧ୍ୟକ୍ଷା ତୁଳସୀ ସିକ୍ରୀ ହାଁସଦା,ବିଜାତଳା ବ୍ଳକ ଅଧ୍ୟକ୍ଷ ରାଣୀ ମୁର୍ମୁ, ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା, ୨୦୧୯ ବିଧାୟକପ୍ରାର୍ଥୀ ଅମର ସିଂ ଟୁଡୁ, ବିଜାତଳା ବ୍ଳକ ପୂର୍ବତନ ଅଧ୍ୟକ୍ଷ ନାମାଇ ମୁର୍ମୁ, ବିଜାତଳା ବ୍ଳକ ପୂର୍ବତନ ଅଧ୍ୟକ୍ଷ ମାଝିଆରାମ ମାଝୀ, ବିଶୋଇ ବ୍ଳକ ଯୁବସଭାପତି ସୁନିଲ ମହାପାତ୍ରଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ବିଜେଡିର ଜୟଯାତ୍ରା ସମ୍ପର୍କରେ ବକ୍ତାମାନେ ଆଲୋଚନା କରି ଦୀର୍ଘ ୨୫ ବର୍ଷ ହେଲା ବିଜେଡି ଓଡ଼ିଶାବାସୀଙ୍କ ନିରନ୍ତର ସେବା କରି ଆସୁଛି । ଯୁବ, ମହିଳା, କୃଷକ, ଛାତ୍ର, ଦିବ୍ୟାଙ୍ଗ, ଶ୍ରମିକ ଆଦି ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯୁଗାନ୍ତକାରୀ ଯୋଜନା କରିଛି ବୋଲି ମତପ୍ରକାଶ କରିଥିଲେ । ତେବେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳମତ ନିର୍ବିଶେଷରେ ମତ ପାର୍ଥକ୍ୟକୁ ଭୁଲି ହାତକୁ ହାତ ମିଳାଇ ସଂଗଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ନିର୍ବାଚନ ବୈତରଣୀକୁ ପାର କରିବାକୁ କର୍ମକର୍ତ୍ତାମାନେ ନିଷ୍ପତ୍ତି ନେଇଥିଲେ । ସଂଗଠନକୁ ସୁଦୃଢ କରିବା ସହ ଦଳର ନେତୃବୃନ୍ଦ ଓ କର୍ମୀ ଘରକୁ ଘର ଯାଇ ରାଜ୍ୟ ସରକାରଙ୍କ ଯୋଜନା ଉପରେ ଅବଗତ କରାଇବା ସହ ଅସହାୟ, ପୀଡିତା, ଅବହେଳିତ ବର୍ଗର ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସହଯୋଗ ଓ ସହାୟତାର ହାତ ବଢାଇବାକୁ ପରାମର୍ଶ ଦିଆଯାଇଥିଲା । ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ବିକାଶ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବନେତା ରାମଚନ୍ଦ୍ର ମୁର୍ମୁ ସୁଲାଇପାଟରେ ବିଜେଡି ପ୍ରତିଷ୍ଠା ଦିବସ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ଏବଂ ବହୁ ସଂଖ୍ୟାରେ ଆବାଳ ବୃଦ୍ଧ ବନିତା ନିଜର ବହୁମୂଲ୍ୟ ସମୟ ଓ କାମଧନ୍ଦା ଛାଡି ଯୋଗ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।