ମୋଦି @୨୦ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ
ନରେନ୍ଦ୍ର ମୋଦି ବିଶ୍ୱର ସର୍ବାଧିକ ଚର୍ଚ୍ଚିତ ରାଜନେତା : ଆନ୍ଧ୍ର ରାଜ୍ୟପାଳ
ଭୁବନେଶ୍ୱର(ଏନ୍.ଏମ୍.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମନିର୍ଭର ଓ ସର୍ବ ଶକ୍ତି ସମ୍ପନ୍ନ ବନାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମଗ୍ର ବିଶ୍ୱରେ ଶ୍ରୀ ମୋଦି ସବୁଠାରୁ ଚର୍ଚ୍ଚିତ ରାଜନେତା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଉଭୟ ଆମେରିକା ଓ ଋଷ୍ର ଚାପରେ ବଶବର୍ତ୍ତୀ ନହୋଇ ଭାରତ ନିରପେକ୍ଷତା ଅବଲମ୍ବନ କରିବା କେବଳ ମୋଦିଙ୍କ ଯୋଗୁଁ ହିଁ ସମ୍ଭବପର ହୋଇପାରିଛି । ସମ୍ଭାବ୍ୟ ତୃତୀୟ ବିଶ୍ୱ ଯୁଦ୍ଧକୁ ଏଡାଇ ଦେଇ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିରାମ ଓ ଶାନ୍ତି ପ୍ରତିଷ୍ଠା କରାଇବା ନେଇ ଶ୍ରୀ ମୋଦିଙ୍କର ପ୍ରୟାସ ଖୁବ ପ୍ରଭାବୀ ରହିଥିବା ରାଜ୍ୟପାଳ ଦର୍ଶାଇଛନ୍ତି । ଆଜି ଏଠାରେ ଶ୍ରୀ ମୋଦିଙ୍କର ଜୀବନ ଓ ଦର୍ଶନ ଉପରେ ମୋଦି@୨୦ ଶୀର୍ଷକ ଦୁଇ ଦିନିଆ ଜାତୀୟ ଚିତ୍ରକଳା ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଶ୍ରୀ ହରିଚନ୍ଦନ, ଚିତ୍ରଶିଳ୍ପୀ ମାନଙ୍କର ନିଖୁଣ ଓ ଜୀବନ୍ତ ଚିତ୍ର କଳାର ଭୂରିଭୂରି ପ୍ରଶଂସା କରିଥିଲେ । ପୂର୍ବ ଭାରତର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ ଦ୍ୱାରା ଭୁବନେଶ୍ୱରସ୍ଥିତ ପ୍ରେସ କ୍ଲବ ଅଫ ଓଡ଼ିଶା ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀରେ ୪୫ ଜଣ ପ୍ରବୀଣ ଓ ତରୁଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିବା ଜଣାଯାଇଛି । ସଭାରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀ, ପ୍ରତିଭା ଓ ପାରଦର୍ଶିତା ସମ୍ପନ୍ନ ଚିତ୍ରଶିଳ୍ପୀମାନେ ସେମାନଙ୍କର ଅନନ୍ୟ କଳାକୃତି ଜରିଆରେ ମୋଦିଙ୍କର କାରୁକାର୍ଯ୍ୟ ସମ୍ପର୍କରେ ନିଜର ଅନ୍ତର୍ନିହିତ ଚେତନାକୁ ସଫଳତାର ସହିତ ଜାଗ୍ରତ କରିପାରିଥିବା ଉଲ୍ଲେଖ କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ କଲିକତାର ସାହିତ୍ୟ ଏକାଡେମୀର ସଚିବ ଡଃ ମିହିର କୁମାର ସାହୁ ସଂଗଠକ ମାନଙ୍କର ମହତ୍ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟ ରଥ ସ୍ୱାଗତ ଭାଷଣ ପ୍ରଦାନ କରି ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଭାରତର ବିଭିନ୍ନ ସହରରେ ଯୁବ ସମାଜକୁ ମୋଦିଙ୍କର ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ଏହିଭଳି ପ୍ରଦର୍ଶନୀମାନ ଆୟୋଜନ କରାଯିବ ବୋଲି ସୂଚାଇଥିଲେ । ସ୍ୱାଗତ କମିଟିର ଅଧ୍ୟକ୍ଷ ବିଶିଷ୍ଟ କବି ଶଙ୍କର ପରିଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟାନ୍ୱୟନ କମିଟିର ଅଧ୍ୟକ୍ଷ ଏବଂ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ମୋଦି@୨୦ ପ୍ରଦର୍ଶନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସୁଭଦ୍ରା ଆର୍ଟ ଗ୍ୟାଲେରୀର ପ୍ରତିଷ୍ଠାତା ଓ ପ୍ରଖ୍ୟାତ ସ୍ଥପତି ରବିନାରାୟଣ ରଥ, ତାଙ୍କ ଦ୍ୱାରା ଅଙ୍କିତ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କର ଏକ ଚିତ୍ର ତାଙ୍କୁ ଉପହାର ପ୍ରଦାନ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଦର୍ଶନୀରେ ସୁନାମଧନ୍ୟ ଚିତ୍ରଶିଳ୍ପୀ ଯଥା ରବିନାରାୟଣ ରଥ, ସୁବୋଧ କୁମାର ସାହୁ, ମୀନକେତନ ପଟ୍ଟନାୟକ, ଚିନ୍ତାମଣି ବିଶ୍ୱାଳ, ପ୍ରିୟଦର୍ଶିନୀ ମହାନ୍ତି, ରଂଜନ ପଟ୍ଟନାୟକ, ଅନନ୍ତ ମହାନ୍ତି, ରଂଜନ ମଲ୍ଲିକ, କୁମୁଦ ଦାଶ, ସୁଜାତା ବେହେରା, ମମତା ସାମନ୍ତରାୟ ଓ ରାଜନନ୍ଦିନୀ ମହାପାତ୍ର ପ୍ରମୁଖଙ୍କର ଚିତ୍ର ଏବଂ ପ୍ରତିମୂର୍ତ୍ତି ସ୍ଥାନ ପାଇଥିବା ଜଣାଯାଇଛି । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସରୋଜା ଚୌଧୁରୀ, ସଞ୍ଜୟ ମହାନ୍ତି, କାବେରୀ ବେହେରା, ଅନୀଲ ମିଶ୍ର, ଦିଲ୍ଲୀପ ମହାନ୍ତି ଓ ଅଜୟ ରାଉତ ପ୍ରମୁଖ ଅନ୍ତର୍ଭୂକ୍ତ ଥିଲେ ।