ମୁଣ୍ଡଳୀରେ ହାତୀପଲ ଖୋଜୁଛନ୍ତି ଛୁଆ ଓ ମୁଖିଆକୁ

ମୁଣ୍ଡଳୀରେ ହାତୀପଲ ଖୋଜୁଛନ୍ତି ଛୁଆ ଓ ମୁଖିଆକୁ

ମୁଣ୍ଡଳୀରେ ହାତୀପଲ ଖୋଜୁଛନ୍ତି ଛୁଆ ଓ ମୁଖିଆକୁ


#କଟକ(ଏନ୍‌.ଏମ୍‌.): ମୁଣ୍ଡଳି ବ୍ୟାରେଜ ଠାରେ ଏକ ଦନ୍ତାହାତୀ ଓ ଭାସି ଯାଇଥିବା ଏକ ଛୁଆହାତୀର ମୃତ୍ୟୁ ହୋଇଥିବାବେଳେ ସାଥିରେ ଥିବା ହାତୀପଲ ଏବେ ନରାଜ ଓ ମୁଣ୍ଡଳି ନିକଟରେ ବୁଲିବା ସହ ଛୁଆ ଓ ମୁଖିଆ ହାତୀକୁ ଖୋଜୁଥିବା ଜଣାପଡ଼ିଛି । ତେବେ ସାଥୀମାନଙ୍କୁ ନପାଇ ଏହି ହାତୀପଲ ଖୋଜୁଥିବାବେଳେ ବ୍ୟାପକ ଧନଜୀବନ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟା ପରେ ପୁଣି ଆସି ମୁଣ୍ଡଳୀ ପଞ୍ଚାୟତର ଥୋରିଆପାଟଣା ପାଖ କାଳୀକା ପଡିଆରେ ପହଁଞ୍ଚିଥିଲେ ସାଥୀଙ୍କୁ ଖୋଜୁଥିବା ହାତୀ ଦଳ । ଏହି ଦଳରେ ଗୋଟିଏ ଦନ୍ତା ସହିତ ୨ଟି ମାଈ ଓ ୩ଟି ଛୁଆ ରହିଛନ୍ତି । ତେବେ ଏହି ୬ ଟିକିଆ ହାତୀ ପଲ ଜନବସତି ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ହାତୀ ଆସିଥିବା ଶୁଣି ମୁଣ୍ଡଳୀ, ତଳଗଡ, ଥୋରିଆପାଟଣା ଓ ନରାଜ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଡମପଡା ବନ ବିଭାଗ କର୍ମଚାରୀମାନେ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଲୋକଙ୍କୁ ଘରୁ ନବାହାରିବାକୁ ସତର୍କ କରିଛନ୍ତି । ଗତ ରାତିରେ ନରାଜ ଗ୍ରାମର ସୁଶାନ୍ତ ବେହେରା(୩୬)ଙ୍କୁ ଦନ୍ତା ହାତୀ ମାରି ଦେଇଥିଲା । ହାତୀମାନେ ନରାଜ ଆଡକୁ ଯିବାର ଆଶଙ୍କା ରହିଛି । ଲଗାତର ଭାବେ ଚନ୍ଦକା-ଡମପଡା ଅଭୟାରଣ୍ୟରୁ ବାହରି ହାତୀ ପଲ ମୁଣ୍ଡଳୀ ଓ ନରାଜ ଆଡକୁ ଆସୁଥିବାବେଳେ ଏବେ ବିଡାନାସୀ, ସିଡିଏ ପାଇଁ ବି ବିପଦ ସୃଷ୍ଟି ହୋଇଛି । ସେହିଭଳି ଭଗିପୁର ନିକଟ ଦେବୀ ଦ୍ୱାର ଠାରୁ କଇଁମୁଣ୍ଡି ମଧ୍ୟରେ ଥିବା ଯେଉଁ ଚିରାଚରିତ ପଥ ଦେଇ ହାତୀମାନେ ମହାନଦୀ କୂଳକୁ ଆସି ପାଣିରେ ପଶି ଆଠଗଡ ଓ ଡମପଡା ଜଙ୍ଗଲକୁ ଯାଆନ୍ତି ଏବେ ସେ ପଥ ହାତୀମାନଙ୍କ ପାଇଁ ସୁରକ୍ଷିତ ମନେ ହେଉ ନଥିବାରୁ ସେମାନେ ସେ ପଥ ବଦଳାଇ ନୂଆ ପଥରେ ଯାତାୟତ କରିବାକୁ ବାଧ୍ୟ ହେଉଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଗତକାଲିର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦଳର ମୁଖିଆ ଦନ୍ତାହାତୀ ଓ ୪ ବର୍ଷର ଛୁଆ ହାତୀକୁ ଏମାନେ ଖୋଜିବା ପାଇଁ ମୁଣ୍ଡଳୀ ଓ ନରାଜ ଅଞ୍ଚଳରେ ବୁଲୁଥିବା ଆଶଙ୍କା କରାଯାଉଛି । ସେହିଭଳି ହାତୀମାନଙ୍କ ଦ୍ୱାରା ମୁଣ୍ଡଳି ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ବହୁ ବଣୁଆ ହାତୀ ଫସଲଗୁଡ଼ିକୁ ଦଳଚକଟି ନଷ୍ଟ କରିଦେଇଛନ୍ତି । ଧାର ଉଦ୍ଧାର କରି ଚାଷୀମାନେ ଫସଲ କରିଥିବାବେଳେ ହାତୀମାନଙ୍କ ଯୋଗୁଁ ବ୍ୟାପକ ପରିମାଣର ଆର୍ଥିକ କ୍ଷତି ହୋଇଛି । ତେଣୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ବାରଙ୍ଗ ବ୍ଲକ ଅନ୍ତର୍ଗତ ମୁଣ୍ଡଳି ଅଞ୍ଚଳରେ ପ୍ରାୟ ୧୦ଏକର ଜମିରେ ହାତୀଗୁଡ଼ିକ ଧାନଫସଲ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି । ଜିଲ୍ଲା ପ୍ରଶାସନ ତଥା ବନ ବିଭାଗ ଅଧିକାରୀମାନେ ଏ ସମ୍ପର୍କରେ ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆବଶ୍ୟକ କ୍ଷତିପୂରଣ ରାଶି ଦେବା ନିମନ୍ତେ ସାମାଜିକ କର୍ମକର୍ତ୍ତା ଡକ୍ଟର ସତ୍ୟ ରାୟ ଓ ମା’ମଙ୍ଗଳା ଯୁବକ ସଂଘ ସମ୍ପାଦକ ଅଶ୍ୱିନୀ ସାହୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସେହିଭଳି ନରାଜ ଅଞ୍ଚଳରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ ମଧ୍ୟ ଆର୍ôଥକ ସହାୟତା ପ୍ରଦାନ କରିବାକୁ ନିବେଦନ କରାଯାଇଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ