ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି
#ଜୟପୁର(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଖୁବ ପ୍ରଶଂସା କରିଛନ୍ତି । ବିକ୍ରମଦେବ କଲେଜର ପ୍ଲାଟିନମ୍ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ମଞ୍ଚରେ ତାଙ୍କର ବନ୍ଦନା ଗାନ କରିଛନ୍ତି ବିଧାୟକ ଶ୍ରୀ ବାହିନୀପତି । ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ ନାରା ମଧ୍ୟ ଦେଲେ । ଏଥି ସହିତ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଭୂରି ଭୂରି ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି । ତାରାଙ୍କ ଏ ନୂଆ ରୂପକୁ ନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା ହେଉଛି । ଜୟପୁର ବିଧାୟକ ଶ୍ରୀ ବାହିନୀପତି ଷ୍ଟେଜକୁ ଉଠି ତାଙ୍କ ଆନ୍ଦାଜରେ ଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ, ବିକ୍ରମଦେବ ସ୍ୱୟଂଶାସିତ କଲେଜ ବିଶ୍ୱବିଦ୍ୟାଳୟ ହୋଇଛି । ସେଥିପାଇଁ ନବୀନ ବାବୁଙ୍କ ପାଇଁ ଗୋଟିଏ ତାଳି ହେଉ । ତା’ପରେ ନିଜ ଜିଲ୍ଲାର ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ତାରା ।
ମୁଖ୍ୟମନ୍ତ୍ରୀଙ୍କୁ ସାର୍ ବୋଲି ସମ୍ୱୋଧିତ କରି ତାରା କହିଥିଲେ, ଏ ଜିଲ୍ଲାର କିଛି ସମସ୍ୟା ମଧ୍ୟ ରହିଛି । ସାର ଆପଣଙ୍କ ଆଶୀର୍ବାଦ ହେଲେ ଏ ରାଜ୍ୟର ବଡ଼ ସାଗର ହୋଇପାରିବ ଜଗନ୍ନାଥ ସାଗର । ଅବିଭକ୍ତ କୋରାପୁଟ ଜିଲ୍ଲା କାଶ୍ମୀରଠାରୁ କମ୍ ନୁହେଁ । ଆପଣ ଜଣେ ପର୍ଯ୍ୟଟନ ପ୍ରେମୀ । ଆପଣ ଗ୍ରୀନ୍ ଫିଲ୍ଡକୁ ଭଲ ପାଆନ୍ତି । ଆପଣଙ୍କ ହୃଦୟ ଅଛି । ଆପଣ କୋରାପୁଟ ଜିଲ୍ଲାର ପର୍ଯ୍ୟଟନର ବିକାଶ କରାନ୍ତୁ । ବିଭିନ୍ନ ରାଜ୍ୟର ଭକ୍ତ ଓ ପର୍ଯ୍ୟଟକ ଗୁପ୍ତେଶ୍ୱର ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସୁଛନ୍ତି । ସାର୍ ଆପଣଙ୍କୁ ମୋର ନିବେଦନ ରହିଲା ଗୁପ୍ତେଶ୍ୱରର ଉନ୍ନତି କରାନ୍ତୁ । ଦେଓମାଳିକୁ ଆନ୍ଧ୍ର ମାଡ଼ି ବସିବାକୁ ବସିଲାଣି । ଆପଣ ଥରେ ଅନାଇ ଦେଲେ ଗୁପ୍ତେଶ୍ୱର ଓ ଦେଓମାଳିରେ ବିକାଶ ହୋଇପାରିବ ବୋଲି ତାରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେ ଆହୁରି କହିଛନ୍ତି, କୋରାପୁଟ ଜିଲ୍ଲାର ପିଲାମାନଙ୍କ ପାଇଁ ଚାକିରି ନାହିଁ । ବିଜୁ ବାବୁ ଥିଲା ବେଳେ ଏ ମାଟିର ପିଲା ଏଠି ମାଷ୍ଟର ଚାକିରି କରୁଥିଲେ । ତେଣୁ ଅନୁରୋଧ କରୁଛି, କୋରାପୁଟ ଜିଲ୍ଲାର ପିଲାଙ୍କୁ ଏଠାରେ ନିଯୁକ୍ତି ଦିଆଯାଉ । ଆମେ କୋରାପୁଟିଆ କାହାକୁ ଠକି ନାହୁଁ । ଆମେ କୋରାପୁଟିଆ ମିଛ କହିବା ଶିଖିନୁ । ଆମେ କୋରାପୁଟିଆ ବେଇମାନି କରିବା ଶିଖିନୁ । ଆପଣଙ୍କୁ ସ୍ୱାଗତ କରୁଛୁ । ଆପଣ ବାରମ୍ୱାର ଏଠାକୁ ଆସନ୍ତୁ । କୋରାପୁଟ ଜିଲ୍ଲାର ବିକାଶକୁ ଆଖି ଆଗରେ ରଖି ଆଗକୁ ବଢ଼ି ଚାଲନ୍ତୁ ବୋଲି ତାରା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ପାଇଁ ୧୬୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ତେବେ ତାରାଙ୍କ ଏଭଳି ନବୀନ ବନ୍ଦନା ଶୁଣି କଂଗ୍ରେସ କର୍ମୀମାନେ ଦ୍ୱନ୍ଦରେ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ତାରା କଂଗ୍ରେସରେ ରହିବେ କି ବିଜେଡିକୁ ଯିବେ ସେ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହେବା ସହ ଜୟପୁର ମାଟିରେ ରାଜନୈତିକ ସରଗରମ ସୃଷ୍ଟି ହୋଇଛି ।