ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ: ବର୍ଷକ ମଧ୍ୟରେ ଜିଲ୍ଲା ଘୋଷଣା କରିବାକୁ ପ୍ରତିଶ୍ରୁତି

ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ: ବର୍ଷକ ମଧ୍ୟରେ ଜିଲ୍ଲା ଘୋଷଣା କରିବାକୁ ପ୍ରତିଶ୍ରୁତି

ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ: ବର୍ଷକ ମଧ୍ୟରେ ଜିଲ୍ଲା ଘୋଷଣା କରିବାକୁ ପ୍ରତିଶ୍ରୁତି


ବରଗଡ଼(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସଭାସମିତିରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ତାଙ୍କ ଅଭିଭାଷଣରେ ବହୁ ଜନସମର୍ଥନ ସାଉଁଟିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଜିଲ୍ଲା ଘୋଷଣା ନେଇ ମୁହଁ ଖୋଲିଛନ୍ତି । ତେବେ ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲାକୁ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ମୁଁ ପୁଣି ଥରେ ବରଗଡ଼ ଜିଲ୍ଲାର ଝାରବନ୍ଧ, ପଦ୍ମପୁର ଓ ପାଇକମାଳ ଆସି ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି କହିଥିଲେ । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି । ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି । ଏଥିପାଇଁ ମୁଁ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ପଦ୍ମପୁର ଉପନିର୍ବାଚନର ୩ଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଆଜିର ଏହି ସଭାରେ ଆମର ମା’ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି । ମିଶନ ଶକ୍ତିରେ ସେମାନେ ବହୁତ ଭଲ କାମ କରୁଛନ୍ତି । ଆଜି ଏଠାରେ ମା’ମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି । ମୋର ଆଶା ଆପଣମାନେ ଏହି ଟଙ୍କାରେ ଭଲ ଉଦ୍ୟୋଗୀ ହୋଇ ସୁନାମ କରିବେ । ଗତ ଥର ମୁଁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ କିଛି ଘୋଷଣା କରିଥିଲି । ସେଥିରୁ ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଛି । ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇସାରିଛି । ୧୩୩/୧୧ କେଭି ସବ୍‌ଷ୍ଟେସନ ପାଇଁ ଜମି ଚିହ୍ନଟ ହୋଇସାରିଛି । କଥା ନୁହେଁ, କାମରେ ମୁଁ ବିଶ୍ୱାସ କରେ ବୋଲି କହିଥିଲେ । ସେ ପୁଣି କହିଥିଲେ ଯେ, ଗତ ଡିସେମ୍ବରରେ ପଦ୍ମପୁର ଜିଲ୍ଲା ବିଷୟ ମୁଁ ଘୋଷଣା କରିଥିଲି । ଏହା ଏକ ବର୍ଷ ମଧ୍ୟରେ ନିଶ୍ଚୟ କରାଯିବ । ବାକି ସବୁ କାମ ସମୟ ଭିତରେ କରାଯିବ । ଆପଣ ମାନେ ଜାଣନ୍ତି ଗତ ଉପନିର୍ବାଚନ ସମୟରେ ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀମାନେ ପଦ୍ମପୁର ଆସିଥିଲେ ଏବଂ ଆପଣମାନଙ୍କୁ ଧାନରେ ଏମ୍‌ଏସପି ବୃଦ୍ଧି, ଫସଲ ବୀମା, ରେଳଲାଇନ୍ ଓ କେନ୍ଦୁ ପତ୍ର ଉପରେ ଜିଏସଟି ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ । ପ୍ରଭୁ ନୃସିଂହନାଥଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା ଯେ ମାନ୍ୟବର କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ବିଷୟରେ ପ୍ରଭୁ ଟିକେ ମନେ ପକାଇ ଦିଅନ୍ତୁ । ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ମୁଁ ୬୪ କୋଟି ଟଙ୍କା ମଞ୍ଜୁର କରିଛି । ଗତ ଉପନିର୍ବାଚନ ସମୟରେ ଆପଣମାନେ ମୋତେ ଭେଟିଥିଲେ । ପ୍ରତି ପଞ୍ଚାୟତ, ପ୍ରତି ଏନ୍‌ଏସି ଏ ପ୍ରତି ୱାର୍ଡର ବିକାଶ ପାଇଁ ଆପଣମାନେ ମୋତେ ପ୍ରସ୍ତାବ ଦେଇଥିଲେ । ମୁଁ ଖୁସି ଯେ ସେହି ପ୍ରସ୍ତାବକୁ ଭିତ୍ତିକରି ଏ ଟଙ୍କା ମଂଜୁରୀ କରାଯାଇଛି । ଲୋକଙ୍କ ପ୍ରସ୍ତାବକୁ ଭିତ୍ତିକରି ଟଙ୍କା ମଂଜୁରୀ କରାଯିବା, ଓଡିଶା ଇତିହାସରେ ପ୍ରଥମ । ମୋର ପୁରା ବିଶ୍ୱାସ ଏ ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏହା ସହାୟକ ହେବ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ