ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବହୁପ୍ରତୀକ୍ଷିତ ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପର ଶିଳାନ୍ୟାସ
#ଭୁବନେଶ୍ୱର/ବାରଙ୍ଗ(ଏନ୍.ଏମ୍.): ଇଂରାଜୀ ନବବର୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁପ୍ରତୀକ୍ଷିତ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ଥାନୀୟ ତ୍ରିଶୁଳିଆ ନିକଟ ରତାଗଡ଼ର ଲେଙ୍କା ସାହିରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂହ, ମନ୍ତ୍ରୀ ଉଷା ଦେବୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ନିରାମୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।
ତେବେ ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ବିମାନବନ୍ଦର ଛକରୁ ସଚିବାଳୟ ମାର୍ଗ ଓ ନନ୍ଦନକାନନ ରାସ୍ତା ଦେଇ ତ୍ରିଶୁଳିଆ ପହଞ୍ଚିଥିଲେ । ଏକାମ୍ର, ମଧ୍ୟ, ଉତ୍ତର ଓ ବାଙ୍କୀ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ଲୋକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ତ୍ରିଶୁଳିଆ ଯିବା ବାଟରେ କ୍ୟାପିଟାଲ ହସ୍ପିଟାଲ ଛକ, ଜୟଦେବ ବିହାର ଛକ, ଜାଭିଅର ଛକ, ରେଳ ସଦନ, ପଟିଆ, କିଟ ଛକ, ରଘୁନାଥପୁର ପ୍ରମୁଖ ସ୍ଥାନରେ ଲୋକଙ୍କୁ ଭେଟିଥିଲେ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ବ୍ୟୟ ହେବ । ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଭୁବନେଶ୍ୱରରୁ ବିମାନ ବନ୍ଦର, କ୍ୟାପିଟାଲ୍ ହସ୍ପିଟାଲ୍, ରାଜମହଲ, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ପଟିଆ ଦେଇ ୨୬ କିଲୋମିଟର ଭିତରେ ୨୦ଟି ଷ୍ଟେସନ୍ ହେବ । ତ୍ରିଶୁଳିଆ ପରେ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ମେଟ୍ରୋ ଗଡ଼ିବା ନେଇ ସରକାର ସୂଚନା ଦେଇଛନ୍ତି । ଏଥିପାଇଁ ରାଜ୍ୟସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରିଛନ୍ତି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟ ଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ । ୨୦୨୩ ବର୍ଷ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଘୋଷଣା କରିଥିଲେ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିଃ ଏହାର ଡିପିଆର ପ୍ରସ୍ତୁତ କରିଛି । ମୋ ସରକାରଙ୍କ ୫-ଟି ଅଧୀନରେ ଏହା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଯାହା ଏକ ନୂତନ ଓଡ଼ିଶାର ଆବିର୍ଭାବର ପ୍ରତୀକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।