ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଅତ୍ୟାଧୁନିକ ଓମ୍ଫେଡ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ
କଟକ(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ କଟକ ଜିଲ୍ଲାର ଅରିଲୋ ଠାରେ ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଓମଫେଡ଼ ଡାଇରି ପ୍ଳାଣ୍ଟ ଲୋକାର୍ପିତ ହୋଇଯାଇଛି । ଏଠାରୁ ଦୈନିକ ୫ ଲକ୍ଷ ଲିଟର କ୍ଷୀରର ପ୍ରକ୍ରିୟାକରଣ କରାଯାଇପାରିବ । ଏହାଦ୍ୱାରା ରାଜ୍ୟର ୬ ଲକ୍ଷ ଦୁଗ୍ଧଚାଷୀ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଦୃଷ୍ଟିରେ ରଖ୍ ଓମଫେଡର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୫ ଲକ୍ଷ ଲିଟରରୁ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଥିବା ପ୍ରକାଶ କରିଥିଲେ । ଏଥି ନିମନ୍ତେ ରାଜ୍ୟ ସରକାର ୨୬୩ କୋଟି ଟଙ୍କା ବ୍ୟୟରେ ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ପ୍ରତିଷ୍ଠା କରିଛନ୍ତି । ଏହି ଆଧୁନିକ ଡାଏରୀ ପ୍ଲାଣ୍ଟ ସଂପୂର୍ଣ୍ଣ ସ୍ୱୟଂଚାଳିତ ଅଟେ । ଏହି ଡ଼ାଏରୀ ପ୍ଲାଣ୍ଟ ଦ୍ୱାରା ଦୈନିକ ୨ ଲକ୍ଷ ଲିଟର କ୍ଷୀରରୁ ଗୁଣ୍ଡ ଦୁଗ୍ଧ ଉତ୍ପାଦନ କରାଯାଇ ପାରିବ । ଏଥି ସହିତ ଉଚ୍ଚମାନର ଦୁଗ୍ଧ, ଦହି, ଘୋଳ ଦହି, ବଟର ମିଳ୍କ, ଲହୁଣି, ଲସି, ଘିଅ, ପନିର ଓ ସୁବାସିତ ଦୁଗ୍ଧ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ କରାଯାଇ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ । ଏହି ନୂତନ ଡାଏରୀ ମାଧ୍ୟମରେ ଦୁଗ୍ଧର ଉପଯୁକ୍ତ ବିକ୍ରି ଓ ଉଚିତ ମୂଲ୍ୟ ପାଇବା ହେତୁ ଦୁଗ୍ଧ ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ଓ ରାଜ୍ୟର ବିକାଶ ହୋଇପାରିବ ବୋଲି କହିଥିଲେ । ଅନ୍ୟପକ୍ଷରେ ଅପେକ୍ଷାକୃତ କମ ସମୟ ମଧ୍ୟରେ ଏଠାରେ ଦୁଗ୍ଧର ପ୍ରକ୍ରିୟାକରଣ ହୋଇପାରିବ । ଏହି ପ୍ଲାଣ୍ଟ ଦ୍ୱାରା ବିଶ୍ୱମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଆମ ରାଜ୍ୟ ଏବଂ ଦେଶର ଲୋକମାନଙ୍କ ପାଇଁ ଉପଲବ୍ଧ ହେବ । ଏହି କାରଖାନାର ଡିଜାଇନ୍ ଏପରି ଢଙ୍ଗରେ କରାଯାଇଛି ଯେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ପରିଦର୍ଶକ ଏହି ଅତ୍ୟାଧୁନିକ ଡ଼ାଏରୀ ପ୍ଲାଣ୍ଟକୁ ପରିଦର୍ଶନ କରି ଏହାର କାର୍ଯ୍ୟକଳାପ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ । ସେ ପୁଣି କହିଲେ ଯେ, ଗତ ଦୁଇ ଦଶକରେ ରାଜ୍ୟରେ ଗୋ-ପାଳନର ବିକାଶ ଚାଷୀମାନଙ୍କ ଆୟବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରାଜ୍ୟ ସରକାର ସର୍ବଦା ଚାଷୀ ଓ ଗୋ-ପାଳକଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ରାଜ୍ୟ ସରକାର ଏହି ଆନୁଷଙ୍ଗିକ କ୍ଷେତ୍ର ରାଜ୍ୟର ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି କ୍ଷେତ୍ର ରୂପେ ଚିହ୍ନଟ ଗତ ଦଶକରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ଏହା ଆଠ ଲକ୍ଷ ପଚସ୍ତରି ହଜାର (୮ ଲକ୍ଷ ୭୫ ହଜାର) ମେଟ୍ରିକ ଟନ ଥିବାବେଳେ ୨୦୨୦ ମସିହାରେ ତେଇଶି ଲକ୍ଷ ସତୁରି ହଜାର (୨୩ ଲକ୍ଷ ୭୦ହଜାର) ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମକୁ ଏକ ମିଶନ ଭାବେ ଗ୍ରହଣ କରି ବାର୍ଷିକ ପ୍ରାୟ ୧୫ ଲକ୍ଷ ଗାଈଙ୍କୁ ଶତ ପ୍ରତିଶତ ସବସିଡି ମାଧ୍ୟମରେ କୃତ୍ରିମ ପ୍ରଜନନ କରିବାର ବ୍ୟବସ୍ଥା କରିଛନ୍ତି । ରାଜ୍ୟର ଗୋ-ସଂପଦକୁ ସଂପୂର୍ଣ୍ଣ ଟିକାକରଣ ଅଭିଯାନ ମାଧ୍ୟମରେ ବର୍ଷକୁ ଦୁଇ ଥର ଫାଟୁଆ ଟିକା ଦିଆଯାଇ, ୨୦୨୫ ମସିହା ସୁଦ୍ଧା ଏହି ରୋଗକୁ ନିୟନ୍ତ୍ରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ହ୍ରାସ କରି ଚାଷୀଙ୍କ ରୋଜଗାର ବୃଦ୍ଧି କରିବାକୁ ଘାସ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳକ ଏବଂ ଯୁବ ଉଦ୍ୟୋଗୀ ମାନଙ୍କୁ ନୂତନ ଡାଇରି ଫାର୍ମ ଓ ମହ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଛି ବୋଲି କହିଥିଲେ । ତେବେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦନ ମହାସଂଘ (ଓମଫେଡ଼) ମାଧ୍ୟମରେ ରାଜ୍ୟର ପ୍ରାୟ ୩,୭୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ମୋଟ ୨, ୬୩ ଲକ୍ଷ ଗୋପାଳକ ସେମାନଙ୍କ ଉତ୍ପାଦିତ ଦୁଗ୍ଧର ବିକ୍ରୟ କରି ପାରୁଛନ୍ତି । ସେ ମଧ୍ୟରୁ ୧୨୯୨ ଟି ମହିଳା ଦୁଗ୍ଧ ସମବାୟ ସମିତି ଅନ୍ତର୍ଗତ ୧୦୫ ଲକ୍ଷ ମହିଳା ଦୁଗ୍ଧଚାଷୀ ଓମଫେଡ୍ ସହ ସମ୍ପୃକ୍ତ । ବର୍ତ୍ତମାନ ଓମଫେଡ଼ ଦୈନିକ ପ୍ରାୟ ୫ ଲକ୍ଷ ଲିଟର୍ ଦୁଗ୍ଧ ସଂଗ୍ରହ କରୁଛି । ଓମଫେଡ଼ ଦ୍ୱାରା ସଂଗୃହିତ ଦୁଗ୍ଧକୁ ୪୦୫ଟି ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ଶୀତଳିକରଣ କରାଯାଉଛି । ଏହି ଦୁଗ୍ଧକୁ ଓମଫେଡର ୧୩ ଟି ପ୍ଲାଣ୍ଟକୁ ପ୍ରେରଣ କରାଯାଇ ପ୍ରକ୍ରିୟାକରଣ କରାଯାଉଛି । ଓମଫେଡ ହାର ପ୍ରତି ୧୦ ଦିନରେ ଥରେ ଦୁଗ୍ଧଚାଷୀ ମାନଙ୍କୁ ଦୁଗ୍ଧର ମୂଲ୍ୟ ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ସିଧାସଳଖ ଶ୍ରୀ ଶ୍ରୀ ୟୁନିଭରସିଟି ପଡ଼ିଆରେ ଅବତରଣ କରିଥିଲେ । ଏହାପରେ ସେଠାରୁ କାର୍ ଯୋଗେ ଓମଫେଡ ଡାଏରୀ ପ୍ଲାଣ୍ଟକୁ ଯାଇଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ, ବିଭାଗୀୟ ସଚିବ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।