ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗରରେ ସାଧାରଣ ସଭା

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗରରେ ସାଧାରଣ ସଭା

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗରରେ ସାଧାରଣ ସଭା
ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇସ୍କୁଲର ରୂପାନ୍ତର ହେବ: ମୁଖ୍ୟମନ୍ତ୍ରୀ


#ଭୁବନେଶ୍ୱର/ବ୍ରହ୍ମପୁର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ଯ୍ୟ ନଗର ଆଦି ସ୍ଥାନରେ ୨ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଛତ୍ରପୁରରେ ୧ହଜାର କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୂର୍ଯ୍ୟ ନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରା ଯାଇଥିଲା । ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ ୨୦ହଜାର ଲୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ପ୍ରଦାନ କରିଛନ୍ତି । ଛତ୍ରପୁରରେ ୩୫୦୦ ପଟ୍ଟା, ହିଞ୍ଜିଲରେ ୪୫୦୦ ପଟ୍ଟା ଓ କବିସୂର୍ଯ ନଗରରେ ୧୧ ହଜାରରୁ ଅଧିକ ପଟ୍ଟା ଦିଆ ଯାଇଥିଲା । ଏହି ସବୁ ସ୍ଥାନରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାକୁ ରଜ୍ୟର ଏକ ଆଗୁଆ ଜିଲ୍ଲା ବୋଲି ମତ ଦେବା ସହିତ ଏହାକୁ ଦେଶର ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ୫ଟି ସ୍କୁଲ୍ ରୂପାନ୍ତର ରାଜ୍ୟ ସରକାରଙ୍କ ଦୁଇଟି ମାଇଲ ଷ୍ଟୋନ ସଫଳତା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୫୦ ହଜାର ଲୋକ ଚିକିତ୍ସା ସୁବିଧା ପାଇଛନ୍ତି ଓ ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସେ କହିଥିଲେ । ସେହିପରି ୫ଟି ସ୍କୁଲ୍ ରୂପାନ୍ତର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୬୩୦ଟି ହାଇ ସ୍କୁଲ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୭୧ଟି ସ୍କୁଲର ରୂପାନ୍ତର ସରିଛି ଓ ଆସନ୍ତା ଡିସେମ୍ବର ସୁଦ୍ଧା ଜିଲ୍ଳାର ସବୁ ସ୍କୁଲ୍ ରୂପାନ୍ତରିତ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟରେ କୃଷକମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦିଆ ଯାଉଛି ବୋଲି ମଧ୍ୟ ସେ କହିଥିଲେ । ମିଶନ ଶକ୍ତିର ମା’ ମାନଙ୍କର ଉଚ୍ଚ ପ୍ରଶଂସା କରି ସେ କହିଥିଲେ ଯେ, ମା’ମାନେ ବହୁତ ଭଲ କାମ କରୁଛନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କୁ ସବୁ ସହଯୋଗ ଯୋଗାଇ ଦେଉଛନ୍ତି । ମା’ ମାନେ ଉଦ୍ୟୋଗୀ ହେବାକୁ ସେ ଚାହାନ୍ତି ବୋଲି ପ୍ରକାଶ କରି ରାଜ୍ୟର ଏସଏଚଜିଗୁଡ଼ିକ ଏସଏମଇ ହେବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି କହିଥିଲେ । ମା’ ମାନଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆ ଯାଉଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମରେ ମିଶନ ଶକ୍ତି ମା’ ମାନଙ୍କୁ ୬୧୪ କୋଟି ଟଙ୍କାର ଋଣ ଦେଇଥିଲେ । ଛତ୍ରପୁରରେ ୧୮୦ କୋଟି, ହିଞ୍ଜିଲିରେ ୧୫୪ କୋଟି ଓ କବସୂର୍ଯ୍ୟ ନଗରରେ ୨୮୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ମା’ ମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ କହଥିଲେ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ଆରାଧ୍ୟ ଦେବୀ ତାରାତାରିଣୀଙ୍କୁ ସ୍ମରଣ କରି ବିଶିଷ୍ଟ ସାହିତ୍ୟ ସାଧକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଉଷା ଦେବୀ, ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସଂସାଦ ଚନ୍ଦ୍ରଶେଖର ସାହୁ, ସଂସାଦ ପ୍ରମିଳା ବିଶୋଇ, ଜିଲ୍ଲାର ବିଧାୟକ ଗଣ ଓ ଜିଲ୍ଲାପରିଷଦ ସଭାପତି ପ୍ରମୂଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ