ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରୀ ଏବଂ ଦରମା ବୃଦ୍ଧି ପାଇଁ ଆପ୍ର ଦାବି

#କଟକ(ଏନ୍.ଏମ୍.): ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରୀ ଏବଂ ଦରମା ବୃଦ୍ଧି ନେଇ ଆଜି ଆମ୍ ଆଦମୀ ପାର୍ଟି କଟକ ଜିଲ୍ଲା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମିଶନ ଶକ୍ତିରେ ସହାୟକ ଷ୍ଟାଫ ଭାବରେ କାମ କରୁଥିବା ଏମବିକେ, ସିଆରପି, ପ୍ରାଣୀମିତ୍ର, କୃଷିମିତ୍ର, ଏବଂ ବ୍ୟାଙ୍କମିତ୍ର ମାନେ ଦୀର୍ଘ ଦଶବର୍ଷ ଧରି କାମ କରୁଥିବାବେଳେ ସେମାନଙ୍କୁ ସ୍ଥାୟୀ କରିବା ଓ ତାଙ୍କର ଦରମା ବୃଦ୍ଧି ନହେବା ଦୁର୍ଭାଗ୍ୟଜନକ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି । ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଅଧିକରୁ ଅଧିକ ଦାୟିତ୍ୱ ଦେବାବେଳେ ସେମାନଙ୍କର ଚାକିରୀକୁ ସ୍ଥାୟୀ ନକରିବା ଏବଂ ଦରମା ବୃଦ୍ଧି କରାନଯିବା ସରକାରଙ୍କର କର୍ମଚାରୀ ବିରୋଧୀ ମନୋଭାବକୁ ସ୍ପଷ୍ଠ କରୁଛି ବୋଲି ଆପ୍ ପକ୍ଷରୁ କୁହାଯାଇଛି ।
ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନେଇ ବିଜୁ ଜନତା ଦଳ ଦ୍ୱାରା ପ୍ରସ୍ତୁତ କରା ଯାଇଥିବା ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସାମୁଖ୍ୟ ମଧ୍ୟଏହି ଦାବି ପୂରଣ ପାଇଁ ଫେବୃଆରୀ ୨୦ ତାରିଖରେ ରାଜରାସ୍ତାକୁ ଓହ୍ଲାଇଥିଲା । ୨୦ ହଜାର ହିତାଧିକାରୀ ଏଥିରେ ସାମିଲ ହୋଇଥିଲେ । ତେବେ ସରକାରରେ ଥିବା ବିଜୁ ଜନତା ଦଳର ନେତା ସୁବାସ ସିଂହ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶରେ ଏ ପ୍ରକାର ଆନ୍ଦୋଳନ ହେଇଥିଲେ ମଧ୍ୟ ସରକାର ମିଶନ ଶକ୍ତି ସପୋର୍ଟ ଷ୍ଟାଫଙ୍କର ନାର୍ଯ୍ୟ ଦାବିକୁ ଗ୍ରହଣ କରୁନାହାନ୍ତି । ତେଣୁ କରି ଆମ୍ ଆଦମୀ ପାର୍ଟି ତରଫରୁ ମିଶନ ଶକ୍ତିର ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ସ୍ଥାୟୀ କରାଯିବା, ସେମାଙ୍କର ପାରିଶ୍ରମିକ ବୃଦ୍ଧି କରାଯିବା ପାଇଁ ଦାବି ହୋଇଛି । ଆଗାମୀ ଦିନରେ ଏ ଦାବି ପୂରଣ ପାଇଁ ଆମ୍ ଆଦମୀ ପାର୍ଟି ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ସମସ୍ତ ପ୍ରକାର ସହଯୋଗ କରିବ ଏବଂ ଆନ୍ଦୋଳନକୁ ଅଧିକ ତୀବ୍ରତର କରିବ ବୋଲି ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପରିଡାଙ୍କ ନେତୃତ୍ୱରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ନେତ୍ରୀ ବିଜୟ ଲକ୍ଷ୍ମୀ ମହାପାତ୍ର, ନଗର ସଭାପତି ଆଶୁତୋଷ ପରିଡା, ଜିଲ୍ଲା ସମ୍ପାଦକ ଅମିତ୍ ମହାପାତ୍ର, ସଦର ବ୍ଲକ୍ ଆବାହକ ପ୍ରଶାନ୍ତ ମଲ୍ଲିକ, ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଆବାହକ ସାରଦା ଦାସ, ଦିଲ୍ଲୀପ କର, ଅଭିମନ୍ୟୁ ଜେନା, ମହମ୍ମଦ ସନାଉଲ୍ଲା, କାଇମ ଖାନ, ଦିପ୍ତିମୟୀ ପଣ୍ଡା, ନରସିଂହପୁର ଯୁଗଳ କିଶୋର ପ୍ରଧାନ, ସୌଦାମିନୀ ପ୍ରଧାନ, ସନ୍ତୋଷ କୁମାର ବେହେରା, ପ୍ରାଣକୃଷ୍ଣ ଭୋଇ, ଚୌଦ୍ୱାର ଆବାହକ ଭୀମସେନ ବିଶ୍ୱାଳ, ନିଆଳି ଆବାହକ ସନାତନ ମଲ୍ଲିକ, ରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।