ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍‌

ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍‌

ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍‌

#କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସମାଜରେ ବିଭିନ୍ନ ପ୍ରକାର ମିଡ଼ିଆ ନିଜର ଅସ୍ଥିତ୍ୱକୁ ସୁଦୃଢ଼ କରିଥିବାବେଳେ ଏହାକୁ ହାତବାରିସୀ କରି ବିଭିନ୍ନ ସଂସ୍ଥା, ବିଭାଗୀୟ କର୍ତ୍ତୃପକ୍ଷ ନିଜର ପତିଆରାକୁ ଜାହିର କରିବାରେ ଲାଗି ପଡ଼ିଛନ୍ତି । ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥାର କର୍ତ୍ତୃପକ୍ଷ ଦୁର୍ନୀତିରେ ବୁଡ଼ି ରହି ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବାରେ ବ୍ୟସ୍ତ ରହିଛନ୍ତି । ମାତ୍ର ସାମ୍ବାଦିକଙ୍କ ଶନିଦୃଷ୍ଟିରୁ ଖସିବା ପାଇଁ ଏବେ ସାମ୍ବାଦିକମାନଙ୍କୁ କିଭଳି ହାତ ମୁଠାରେ ରଖାଯାଇ ପାରିବ ସେ ନେଇ ବିଭିନ୍ନ କାର୍ଡ଼ ଖେଳାଯାଉଥିବା ଦେଖିବାକୁ ମିଳିଛି । ଦୁର୍ନୀତିଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ପାଖରେ ଏବେ ସାମ୍ବାଦିକମାନଙ୍କୁ ହାତମୁଠାକୁ ଆଣିବା ପାଇଁ ସବୁ ଠାରୁ ବଡ଼ ଅଙ୍କ ହେଉଛି ମିଡ଼ିଆ କପ୍ । ସାମ୍ବାଦିକମାନଙ୍କ ସହିତ ସୌହାର୍ଦ୍ଦପୂର୍ଣ୍ଣ ମ୍ୟାଚ ଖେଳିବା ବାହାନାରେ ସମ୍ପର୍କ ବଢ଼ାଇବା ଏବଂ ସେମାନଙ୍କୁ ବ୍ୟବହାର କରି କଳାସାମ୍ରାଜ୍ୟର ଆଧିପତ୍ୟ ବିସ୍ତାର କରିବା ଉଦ୍ଦେଶ୍ୟ ଭବିଷ୍ୟତ ପାଇଁ ବିପଦଜ୍ଜନକ ହୋଇ ପାରେ ବୋଲି ବହୁ ବରିଷ୍ଠ ସାମ୍ବାଦିକ ମତ ଦେଇଛନ୍ତି ।
ଏବେ ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ସହର ଭାବେ କଟକର ସ୍ୱତନ୍ତ୍ର ସ୍ଥାନ ରହିଥିବାବେଳେ ଏଠାରେ ଦୁର୍ନୀତି ମଧ୍ୟ ବଢ଼ିବଢ଼ି ଚାଲିଛି । ସିଏମସି ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନର ବିଭିନ୍ନ ବିଭାଗରେ ବାରମ୍ବାର ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଥିବାବେଳେ ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥା ମାନଙ୍କ ପକ୍ଷରୁ ସାମ୍ବାଦିକଙ୍କୁ ତୁଷ୍ଟିକରଣ କରିବା ନିମନ୍ତେ ମିଡ଼ିଆକପ୍ ଆୟୋଜନ କରାଯାଉଛି । ସାମ୍ବାଦିକଙ୍କ ସହିତ ବର୍ଣ୍ଣାଢ଼୍ୟ ପରିବେଶରେ କ୍ରିକେଟ ମ୍ୟାଚ ଖେଳିବାର ମଜା ଯେତିକି ନିଆରା ସେମାନଙ୍କୁ ହାତବାରିସୀ କରି ନିଜ ଦୁର୍ନୀତିର ସାମ୍ରାଜ୍ୟକୁ ସୁଦୁଢ଼ କରିବା ସେତିକି ସହଜ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଏପରିକି କିଛି ଚାଟୁକାର ବ୍ୟକ୍ତିତ୍ୱ ସାମ୍ବାଦିକତା ଭଳି ପବିତ୍ର ବ୍ରତକୁ ସମ୍ପୂର୍ଣ୍ଣ କଳୁଷିତ କରିସାରିଲେଣି । ଏହାଦ୍ୱାରା ଜନସାଧାରଣ, ବୁଦ୍ଧିଜୀବୀମାନେ ମଧ୍ୟ ସହଜରେ ବୁଝି ଗଲେଣି ଯେ, ଆଉ ସାମ୍ବାଦିକତାର ପବିତ୍ରତା ନାହିଁ । ଏହି ବ୍ରତରେ ଥିବା ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଗଣମାଧ୍ୟମକୁ ମଧ୍ୟ ବ୍ୟବହାର କରୁଛନ୍ତି । ସେମାନେ ଅନେକ ଦୁର୍ନୀତିକୁ ଆଖିବୁଜି ଦେଇ ନିଜର ପକେଟ ଗରମ କରିବାରେ ବ୍ୟସ୍ତ ରହୁଥିବାରୁ ଆଉ ସାମ୍ବାଦିକତାରେ ପବିତ୍ରତା ନାହିଁ ବୋଲି ବରିଷ୍ଠ ସାମ୍ବାଦିକମାନେ ମତପୋଷଣ କଲେଣି । ସେହି ଚାଟୁକାର ସାମ୍ବାଦିକମାନେ ବିଭିନ୍ନ ସମୟରେ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ନିଜ ଅକ୍ତିଆରରେ ରଖିବା କିମ୍ବା ନିଜେ ସେମାନଙ୍କ ଅକ୍ତିଆରରେ ରହିବା ଦେଖିବାକୁ ମିଳୁଛି । କିଛି ସାମ୍ବାଦିକମାନେ ବିଭିନ୍ନ ଖେଳ ଅନୁଷ୍ଠାନ ସହ ମିଶି କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ଅନୈତିକ ସେବା ଯୋଗାଇଦେବା ପ୍ରତିଶ୍ରୁତି ଦେଇ ମିଡ଼ିଆ କପ୍ ଆୟୋଜନ କରାଉଥିବାବେଳେ ଆଉକିଛି ସାମ୍ବାଦିକ ପ୍ରଶାସନିକ ଅଧିକାରୀଙ୍କ ସହ କ୍ରିକେଟ ମ୍ୟାଚ ଖେଳି ତାଙ୍କ ସହ ସେଲଫି ଉଠାଇ ନିଜର ପତିଆରା ଜାହିର କରିବାରେ ଲାଗିଛନ୍ତି । ସେହିଭଳି କଟକ ମହାନଗର ନିଗମ ସମ୍ପ୍ରତି ଦୁର୍ନୀତିର ପାହାଡ଼ ଉପରେ ଠିଆ ହୋଇଥିବାବେଳେ ସାମ୍ବାଦିକଙ୍କୁ ହାତରେ ରଖି କଳା ସାମ୍ରାଜ୍ୟକୁ ସୁରକ୍ଷିତ କରିବା ପାଇଁ ବହୁ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ମିଡ଼ିଆକପରେ ବ୍ୟସ୍ତ ରହୁଛନ୍ତି । ସାମ୍ବାଦିକମାନଙ୍କୁ ହାତବାରିସୀ କରି ନିଜର ସ୍ୱାର୍ଥ ପୂରଣ କରୁଥିବାବେଳେ କିଛି ସାମ୍ବାଦିକ ବନ୍ଧୁ ସେମାନଙ୍କ ଠାରୁ ଲଲିପପ୍ ନେଇ ନିଜ ପିଠି ନିଜେ ଥାପୁଡେଇବାରେ ଲାଗିପଡ଼ିଛନ୍ତି । ଗୋଟିଏ ପଟେ ଯେଉଁ ସିଏମସିର କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଆଜି କଟକ ସହରରେ ଜନସାଧାରଣ ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି ସେ ଦିଗରେ ସେହି ସାମ୍ବାଦିକମାନେ ନଜର ନଦେଇ ମିଡ଼ିଆକପ୍‌ରେ ବ୍ୟସ୍ତ ରହିବା କଟକ ସାମ୍ବାଦିକତା ପ୍ରତି କୁଠାରଘାତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ତେବେ ସହରରେ ୪/୫ଜଣ ତଥାକଥିତ ସାମ୍ବାଦିକଙ୍କୁ ନେଇ ଯେଉଁ କଟକ ମିଡ଼ିଆ ବୋଲି ଡିଣ୍ଡିମ ପିଟାଯାଉଛି ତାହା ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃଷ୍ଟି କରିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ