ମାଡ଼ିଆସୁଛି ଜୱାଦ: ୫ ତାରିଖରେ ପୁରୀରେ ମାଡ଼ ହେବା ଆଶଙ୍କା!

ମାଡ଼ିଆସୁଛି ଜୱାଦ: ୫ ତାରିଖରେ ପୁରୀରେ ମାଡ଼ ହେବା ଆଶଙ୍କା!

ମାଡ଼ିଆସୁଛି ଜୱାଦ: ୫ ତାରିଖରେ ପୁରୀରେ ମାଡ଼ ହେବା ଆଶଙ୍କା!


ଭୁବନେଶ୍ୱର(ଏନ୍‌.ଏମ୍‌.): ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବାତ୍ୟା ‘ଜୱାଦ’ ଏବେ ବିଶାଖାପାଟଣାରୁ ୪୨୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୪ ତାରିଖ ସନ୍ଧ୍ୟା ପରେ ଏହାର ଦିଗ ପରିବର୍ତ୍ତନ ହେବ । ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ, ୪ ତାରିଖ ସନ୍ଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି । ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ । ପୁରୀରେ ବାତ୍ୟା ମାଡ଼ ହେବ ବୋଲି ଅନୁମାନ କରାଯାଉଛି । ଉପକୂଳ ନିକଟବର୍ତ୍ତୀ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ । ଉପକୂଳ ଛୁଇଁଲା ପରେ ଏହା କ୍ରମେ ଦୁର୍ବଳ ହେବ । ଏହା ପ୍ରଭାବରେ ଆଜି ସନ୍ଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯିବ । ଆସନ୍ତାକାଲି ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ । ଏଥିସହ ସେ କହିଛନ୍ତି, ଆସନ୍ତାକାଲି ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଟିକେ ଉଚ୍ଚ ଜୁଆର ଆସିବ । ନିୟମିତ ପ୍ରାୟ ୪ ମିଟର ଉଚ୍ଚ ଜୁଆର ଆସିଥାଏ । ବାତ୍ୟା ଯୋଗୁ ଏହା ଆଉ ୧ ମିଟର ବଢ଼ିବ । ତେଣୁ ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ଥିବାରୁ ସମୁଦ୍ର ନିକଟବର୍ତ୍ତୀ ଲୋକେ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ପରାମର୍ଶ ଦିଆଯାଇଛି । ଏଥିସହ ସେ ପୁଣି କହିଛନ୍ତି ଯେ, ବାତ୍ୟା ‘ଜୱାଦ’ର କୋପ ବାତ୍ୟା ‘ଗୁଲାବ’ ଠାରୁ ଅଧିକ ଏବଂ ‘ତିତିଲି’ ଠାରୁ କମ୍ ରହିବ । ତେବେ ବାତ୍ୟାର ପ୍ରଭାବ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ରହିବ । ସେଥିପାଇଁ ଆଜି ଅପରାହ୍ନରୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ ଓ ଆସନ୍ତାକାଲି ମଧ୍ୟାହ୍ନରେ ଶେଷ ହେବ । ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ପିଇବା ପାଣି ସାଇତି ରଖିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।
ଅନ୍ୟପକ୍ଷରେ ବାତ୍ୟା ‘ଜୱାଦ’ ମୁକାବିଲା ନେଇ ଏନଡିଆରଏଫ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ଏନଡିଆରଏଫ ଡିଜି ଅତୁଲ କରୱାଲ କହିଛନ୍ତି, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗକୁ ୪୬ଟି ଏନଡିଆରଏଫ ଟିମ୍ ପଠାଯାଇଛି । ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ୍ ରଖାଯାଇଛି । ସ୍ଥଳ ବିଶେଷରେ ଏୟାରଲିଫ୍ଟର ଆବଶ୍ୟକ ପଡ଼ିଲେ ଆଇଡିଏସ୍ ବି ପ୍ରସ୍ତୁତ ରହିଛି । ମାତ୍ର ବାତ୍ୟା ଆସିବା ଶୁଣି ଜନସାଧାରଣ ଭୟଭୀତ ହୋଇ ପଡ଼ିଲେଣି । କିନ୍ତୁ ଭୟଭୀତ ନହୋଇ ସଚେତନତାର ସହ ଏହାକୁ ମୁକାବିଲା କରିବା ପାଇଁ ଜନସାଧାରଣ ପ୍ରସ୍ତୁତ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ବାତ୍ୟା ‘ଜୱାଦ’ର କୋପ ବାତ୍ୟା ‘ଗୁଲାବ’ ଠାରୁ ଅଧିକ ଏବଂ ‘ତିତଲି’ଠାରୁ କମ୍ ରହିବ ବୋଲି ପୂର୍ବାନୁମାନ କରାଯାଉଛି । ବିଗତ କିଛି ବର୍ଷର ତାଲିକା ଦେଖିଲେ ସାଧାରଣତଃ ସେପ୍େଟମ୍ବର, ଅକ୍ଟୋବର ମାସରେ ଓଡ଼ିଶାକୁ ବାତ୍ୟା ଆସିଥାଏ । ଏହା ଉପକୂଳବାସୀଙ୍କ ପ୍ରଭୃଦ କ୍ଷତି ଘଟାଇଥାଏ । ୨୦୧୮ ଅକ୍ଟୋବରରେ ଆସିଥିବା ବାତ୍ୟା ‘ତିତିଲି’ ତାଣ୍ଡବ ରଚିଥିଲା । ‘ତିତଲି’ ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ଥିଲା ୧୫୦ କିମି । ହେଲେ ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ । ପବନର ବେଗ ତା’ଠାରୁ ଆଉ ଅଧିକ ହେବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ଶ୍ରୀ ମହାପାତ୍ର । ତିତିଲି ଯୋଗୁ ଓଡ଼ିଶାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହୋଇଥିଲା । ଜୀବନହାନୀ ହୋଇ ନଥିଲେ ମଧ୍ୟ ବିତ୍ୟୁତ୍ ସରବରାହ ଦୀର୍ଘ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଏପରିକି ବଡ଼ ବଡ଼ ଗଛ ପଡ଼ିବା ଯୋଗୁ ରାସ୍ତା ଅବରୋଧ ହୋଇ ଯାଇଥିଲା । ଏଥିଯୋଗୁ ରାଜ୍ୟ ସରକାର ଉପକୂଳ ଅଞ୍ଚଳରେ ବସବାସ କରୁଥିବା ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଗତ ସେପ୍େଟମ୍ବରରେ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଗୁଲାବ’ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଥିଲା । ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ି ନଥିବା ବେଳେ କ୍ଷୟକ୍ଷତି ପରିମାଣ ବି ଖୁବ୍ କମ ରହିଥିଲା ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ