ମାସ୍କ୍ ପାଇଁ ଜୋରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ଚାଲେଞ୍ଜ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ
କଟକ (ଏନ୍.ଏମ୍.): ମାସ୍କ ନପିନ୍ଧିଲେ ଜୋରିମାନା ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିବାବେଳେ ଏଥିରେ ହସ୍ତକ୍ଷେପ ପାଇଁ କୋର୍ଟ ମନା କରିଦେଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଜନିତ ସ୍ଥିତିରେ ମାସ୍କ ନପିନ୍ଧିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଧାର୍ୟ୍ୟ କରାଯାଇଥିବା ଜୋରିମାନା ରାଶି ବୃଦ୍ଧି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ତେବେ ଜୋରିମାନା ରାଶି ବୃଦ୍ଧି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହୋଇଥିବା ୧୦ ଜଣ ବ୍ୟକ୍ତିଙ୍କ ସତ୍ୟପାଠ ସଂଗ୍ରହ କରି ସରକାରଙ୍କ ନିକଟରେ ଦାଖଲ କରିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ସତ୍ୟପାଠ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକଙ୍କ ହୋଇଥିବ ଓ ସେମାନେ ମାସ୍କ ନପିନ୍ଧି ଜରିମାନା ଦେଇଥିବେ । ଏଭଳି ସତ୍ୟପାଠ ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଜୋରିମାନା ରାଶି ସଂଶୋଧନ ପ୍ରସଙ୍ଗରେ ପୁନର୍ବିଚାର ପାଇଁ ଆବେଦନକାରୀ ନିବେଦନ କରିବେ । ଯଦି କିଛି ଫଳ ନମିଳେ ତେବେ ଆବେଦନକାରୀ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଏଥି ସହିତ ଏ ସମ୍ପର୍କିତ ମାମଲା ଶୁଣାଣିରେ ହାଇକୋର୍ଟ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ଏସ୍. ମୁରଲୀଧର ଓ ନ୍ୟାୟମୂର୍ତ୍ତି ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ପରଭରଜିତ ସିଂ ସାଲୁଜାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।