ମାନସିକ ବିକାରଗ୍ରସ୍ତ ଯୁବକ କେନାଲରେ ପଡ଼ି ମୃତ
#ସାଲେପୁର(ଏନ୍.ଏମ୍.): କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ମୁର୍କୁଣ୍ଡି ପୋଲ ନିକଟରେ ଜଣେ ମାନସିକ ବିକାରଗ୍ରସ୍ତ ଅଜଣା ବ୍ୟକ୍ତି କେନାଲରେ ପଡ଼ି ମୃତ୍ୟୁ ଘଟିଛି । ଗତ କାଲି ସନ୍ଧ୍ୟା ୬ଟା ସୁଦ୍ଧା ମୂର୍କୁଣ୍ଡୀ ପୋଲ ନିକଟରେ କେନାଲରେ କେହି ବୁଡ଼ି ଯାଉଥିବା ଲୋକମାନେ ଦେଖିଥିଲେ । ପରେ ସ୍ଥାନୀୟ ଲୋକେ ସାଲେପୁର ଅଗ୍ନିଶମ ବିଭାଗ ଓ କିଶୋରନଗର ଥାନାକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ବି ରାତି ଅନ୍ଧାରରେ ଯୁବକ ଜଣକର ପତ୍ତା ମିଳିପାରି ନଥିଲା । ତେବେ ଆଜି ସକାଳୁ ସାଲେପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ପୁଣି ଖୋଜାଖୋଜି କରିବାବେଳେ ଶବ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ କିଶୋରନଗର ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଜଣଙ୍କର କୌଣସି ପରିଚୟ ମିଳିପାରିନଥିଲେ ମଧ୍ୟ ତାଙ୍କ ବେଶଭୂଷାରୁ ସେ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ବୋଲି ଅନୁମାନ କରାଯାଉଥିବା ଅଞ୍ଚଳବାସୀ କହିଛନ୍ତି ।