ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼
‘ବି’ ସେଟରୁ ବାହାରିଲା ‘ଏ’ ସେଟର ପ୍ରଶ୍ନ, ବୋର୍ଡ କହିଲା- କଟିବନି ଗୋଟିଏ ବି ମାର୍କ
#କଟକ(ଏନ୍.ଏମ୍.): ବିବାଦ ଭିତରୁ ମୁକୁଳି ପାରୁନି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା (ବୋର୍ଡ଼) । ପରୀକ୍ଷା ପରିଚାଳନା ନେଇ ବିଭିନ୍ନ ସମୟରେ ବୋର୍ଡ଼ ଛନ୍ଦି ହୋଇ ପଡ଼ୁଛି ବିବାଦ ଭିତରେ । ଆଜି ପୁଣି ଥରେ ବିବାଦ ଘେରରେ ଫସିଲା ବୋର୍ଡ । ମାଟ୍ରିକ ପରୀକ୍ଷାରେ ପୁଣି ଥରେ ଦେଖାଦେଲା ବିଭ୍ରାଟ । ‘ବି’ ସେଟ୍ ପ୍ରଶ୍ନପତ୍ର ଭିତରୁ ବାହାରିଲା ‘ଏ’ ସେଟର ପ୍ରଶ୍ନ । ଏପରିକି ସମୁଦାୟ ୫୦ଟି ପ୍ରଶ୍ନରୁ ଗୋଟିଏ ପ୍ରଶ୍ନ ଗାଏବ । ଫଳରେ ଏହାକୁ ନେଇ ଘୋର ମାନସିକ ଚାପରେ ଥିବା ଛାତ୍ରଛାତ୍ରୀ ମୁଣ୍ଡରେ ହାତ ଦେଇଛନ୍ତି । ଅପରପକ୍ଷେ, ବୋର୍ଡ ନିଜ ତ୍ରୁଟିକୁ ସ୍ୱୀକାର କରିବା ସହ ଏଥିଯୋଗୁ ଛାତ୍ରଛାତ୍ରୀଙ୍କର ଗୋଟିଏ ବି ମାର୍କ କଟିବନି ବୋଲି ପ୍ରତିଶ୍ରୁତି ଦେଇଛି । ଆଜି ସାମାଜିକ ବିଜ୍ଞାନ ପରୀକ୍ଷା ଥିବାବେଳେ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଛି ସାଂଘାତିକ ଅଭିଯୋଗ । ‘ବି’ ସେଟ୍ ପ୍ରଶ୍ନପତ୍ର ପାଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କୁ ଲାଗିଲା ଶକ୍ତ ଝଟକା । କାରଣ ତାହା ମଧ୍ୟରେ ‘ଏ’ ସେଟର ପ୍ରଶ୍ନ ପଶି ଯାଇଥିବା ଜାଣିବାକୁ ପାଇବା ପରେ ସେମାନେ ଘୋର ମାନସିକ ଚାପରେ ରହିଛନ୍ତି । ଏପରିକି ପ୍ରଶ୍ନପତ୍ରରୁ ୧୯ ନମ୍ବର ପ୍ରଶ୍ନ ସମ୍ପୂର୍ଣ୍ଣ ଗାଏବ ହୋଇ ଯାଇଛି । ଫଳରେ ଅନ୍ୟ ସେଟ୍ ପ୍ରଶ୍ନପତ୍ର ପାଇଥିବା ଛାତ୍ରଛାତ୍ରୀ ୫୦ଟି ପ୍ରଶ୍ନର ଉତ୍ତର ଦେଇଥିବାବେଳେ ସେମାନେ ୪୯ଟି ପ୍ରଶ୍ନର ଉତ୍ତର ଦେଇପାରିଲେ । ଏପରିକି ବହୁ ପ୍ରଶ୍ନ ରିପିଟ୍ ହୋଇଥିବା ବି ସେମାନେ ଅଭିଯୋଗ କରିଛନ୍ତି । ଓଏମଆର ବ୍ୟବସ୍ଥାରେ ଖାତାଦେଖା ହେଉଥିବାରୁ ଏଭଳି ତ୍ରୁଟି ପାଇଁ ମାର୍କ କମିବାର ଆଶଙ୍କା କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ । ତେଣୁ ଗ୍ରେସ ମାର୍କ ଦେବା ପାଇଁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି । ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବି ଏପରି ଅଭିଯୋଗ ଆସିଛି । ଏହାବାଦ ରାଜ୍ୟର ବିଭିନ୍ନ ସ୍କୁଲରେ ବି ସମାନ ସମସ୍ୟା ଉପୁଜିଥିବା ଜଣାଯାଇଛି । ଏପରି ସାଂଘାତିକ ତ୍ରୁଟିକୁ ବୋର୍ଡ ସଭାପତି ସ୍ୱୀକାର କରିବା ସହ ଏହା ମୁଦ୍ରଣଜନିତ ତ୍ରୁଟି ବୋଲି କହିଛନ୍ତି । ଏହାର ତଦନ୍ତ କରାଯାଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ପରିକ୍ଷାର୍ଥୀ ଚିନ୍ତିତ ହେବା ଆବଶ୍ୟକ ନାହିଁ । ମୂଲ୍ୟାୟନ ସମୟରେ ପରିକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କରାଯିବ । ଯେଉଁ ଯେଉଁ ପିଲାଙ୍କ କ୍ଷେତ୍ରରେ ଏପରି ହୋଇଛି, ସେମାନେ ଜଣାନ୍ତୁ । ପିଲାମାନେ ଆଉ ଥରେ ଏହି ପରୀକ୍ଷା ଦେବାର କୌଣସି ଆବଶ୍ୟକତା ନାହିଁ । ଏହି ସମସ୍ୟା ପାଇଁ ସେମାନଙ୍କର କିଛି ମାର୍କ କଟିବନି ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ବୋର୍ଡ ସଭାପତି । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, କିଛି ସେଣ୍ଟରରେ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ହୋଇଥିବାର ଅଭିଯୋଗ ଆସିଛି । ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ । ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏଭଳି ମୁଦ୍ରଣଜନିତ ତ୍ରୁଟି ହୋଇଛି । ଏଥିଲାଗି ଛାତ୍ରଛାତ୍ରୀ ବା ଅଭିଭାବକମାନେ ଚିନ୍ତିତ ହୁଅନ୍ତୁ ନାହିଁ, ଆଉଥରେ ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ । ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ । ବହୁତ କମ୍ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଘଟିଛି । କଣ ପାଇଁ ତ୍ରୁଟି ହୋଇଛି, ଏହା ଉପରେ ତଦନ୍ତ କରାଯିବ । ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ଜୋର ଦେଇ କହିଛନ୍ତି ବୋର୍ଡ ସଭାପତି ରାମଶିଷ ହାଜରା ।