ମହିଳା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ନ୍ୟାୟ ଦେବା ପାଇଁ ଡିଜିପିଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ ପ୍ରତିନିଧି ଦଳ

ମହିଳା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ନ୍ୟାୟ ଦେବା ପାଇଁ ଡିଜିପିଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ ପ୍ରତିନିଧି ଦଳ

News by B.Mishra (BBSR)

#ଭୁବନେଶ୍ୱର (ଏନ୍‍.ଏମ୍‍.): ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଅନୁଗୁଳର ରାଣିଗୁଡ଼ା ଗ୍ରାମର ମହିଳା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ନ୍ୟାୟ ଦେବାପାଇଁ କଟକରେ ଡିଜିପି ସୁନିଲ ବଂଶଲଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଥମେ ଏହି ପ୍ରତିନିଧି ଦଳ କଟକର ଅଶ୍ୱିନୀ ହସ୍‌ପିଟାଲର ଟ୍ରମା ସେଣ୍ଟରଠାରେ ଚିକିତ୍ସିତ ହେଉଥିବା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ସାକ୍ଷାତ କରିବାପାଇଁ ଯାଇ ଥିଲେ । ମାତ୍ର ସେଠାରେ ପ୍ରଦେଶ କଂଗ୍ରେସର ପ୍ରତିନିଧିମାନଙ୍କୁ ହସପିଟାଲ କର୍ତ୍ତୃପକ୍ଷ ସାକ୍ଷାତ କରିବାପାଇଁ ସୁଯୋଗ ଦେଲେ ନାହିଁ । ଏହାପରେ ଏହି ପ୍ରତିନିଧିଦଳ ସିଧାସଳଖ ଡିଜିପି କାର୍ଯ୍ୟାଳୟକୁ ଯାଇ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବଂଶଲଙ୍କୁ ସାକ୍ଷାତ କରି ମହିଳା ଗୃହରକ୍ଷୀଙ୍କୁ ନ୍ୟାୟ ଦେବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବି ଗୁଡ଼ିକ ମଧ୍ୟରେ ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଅପରାଧିକ କେସ ହେବା, ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବା, ପୀଡ଼ିତା ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ, ପୀଡ଼ିତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବା, ପୀଡ଼ିତାକୁ ତୁରନ୍ତ ୫୦ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବା, ପୀଡ଼ିତାଙ୍କୁ ଚାକିରିରୁ ଅନ୍ତର କରାନଯିବା ଏବଂହୋମଗାର୍ଡ଼ ମାନଙ୍କୁ ଘରୋଇ ସେବାରେ ରଖାଯିବା ବନ୍ଦ କରାଯିବାକୁ ଦାବି ହୋଇଛି ।
ତେବେ ବ୍ରଜେଶ କୁମାରଙ୍କ ଘରେ ସେ ତାଙ୍କ ପିଲାଙ୍କୁ ଗାଧୋଇ ପାଧୋଇ ଦେବା, ଖାଇବା ଦେବା, ସ୍କୁଲ ନେବାଆଣିବା କରିବା ସେମାନଙ୍କର ମଳ ଓ ପରିଶ୍ରା କପଡ଼ା ସଫା କରିବା, ଛୁଆଙ୍କର ଯୋତାଚପଲ ସଫା କରିବା, ଡିଆଇଜିଙ୍କର ଚଡ଼଼ି, ଗଞ୍ଜି ସଫାକରିବା ଓ ତାଙ୍କ ସ୍ତ୍ରୀଙ୍କର ଲୁଗା, ବ୍ଲାଉଜ ସଫା କରିବା ଓ ଆଇରନ କରିବା, ଲାଟ୍ରିନ ଓ ବାଥରୁମ ସଫାକରିବା, ଅଇଁଠା ବାସନ ଧୋଇବା, ପିଲାମାନଙ୍କୁ ଖେଳାଇବା କାମରେ ଲଗାଇଥିଲେ । ଏପରିକି ଡିଆଜିଙ୍କ ସ୍ତ୍ରୀ ଆରୁଷି ରାୟଙ୍କୁ ପ୍ରତ୍ୟେକ ଦିନ ତେଲ ମାଲିସ କରିବା ଓ ଠିକ ଭାବେ ମାଲିସ ନକରିପାରିଲେ ଆରୁଷି ରାୟ ତାଙ୍କୁ ନିର୍ମମ ଭାବରେ ଗୋଇଠା ମାରିବା ଘଟଣା ମଧ୍ୟ ପୀଡ଼ିତା ତାଙ୍କ ପତ୍ରରେ ଲେଖିଛନ୍ତି । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ନିଜ ପିଲାମାନଙ୍କର ଦେହ ଖରାପ ହେଲେ ମଧ୍ୟ ତାଙ୍କୁ ଛୁଟି ମିଳେ ନାହିଁ । ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଅନେକ ଥର ଡିଆଇଜିଙ୍କ ସ୍ତ୍ରୀ ତାଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି । ସବୁବେଳେ ଚାକିରି ନେଇଯିବାର ଧମକ ଦେବା ଫଳରେ ପୀଡ଼ିତା ଭୟକରି ଅଭିଯୋଗ କରିପାରନ୍ତି ନାହିଁ ଏବଂ ପରିଶେଷରେ ଏହି ଯାତନାରୁ ମୁକ୍ତିପାଇଁ ସେ ଆତ୍ମହତ୍ୟା କରିବା ନିମନ୍ତେ ରେଳ ଧାରଣାକୁ ଯାଇଥିଲେ । ଏବେ ସେ ତାଙ୍କର ଦୁଇଟି ଗୋଡ଼ ହରାଇଛନ୍ତି । ତେଣୁ ଏଭଳି ଘଟଣା ଗୋଟିଏ ସମ୍ବେଦନଶୀଳ ହୋଇଥିବାରୁ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଦେବା ସହ ପୁଲିସ ଡିଆଇଜି ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ତେବେ ପୀଡ଼ିତା ନ୍ୟାୟ ପାଇବା ପର୍ଯ୍ୟନ୍ତ କଂଗ୍ରେସ ଛିଡ଼ା ହୋଇ ରହିବ ବୋଲି ପ୍ରତିନିଧିମାନେ ପ୍ରକାଶ କରିଛନ୍ତି । ଏହି ପ୍ରତିନିଧି ଦଳରେ ଅଖିଳ ଭାରତ ମହିଳା କଂଗ୍ରେସର ସାଧାରଣ ସଂପାଦିକା ସସ୍ମିତା ବେହେରା, ପିସିସି ସାଧାରଣ ସଂପାଦକ ରଶ୍ମି ମହାପାତ୍ର, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉଦ୍ଧବ କର, ବିଶ୍ୱନାଥ ଆଚାର୍ଯ୍ୟ, ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ପିସିସି ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ବାଙ୍କନିଧି ବେହେରା, ବରିଷ୍ଠ ଆଇନଜୀବୀ ହଳଧର ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିନିଧିମାନଙ୍କ ସହ କୁସୁମ ପ୍ରଧାନ, ଜାନକୀ ମଲ୍ଲିକ, ନିରୁପମା ପାତ୍ର, ନିରୁପମା ଦାସ, କଳ୍ପନା ଦାସ ପ୍ରମୁଖ ରହିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *