ମହାନଦୀ ବନ୍ୟାରେ ଭାସିଆସିଛନ୍ତି କିଛି ଲୋକ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ଉଦ୍ୟମ

#ଚୌଦ୍ୱାର(ଏନ୍.ଏମ୍.): ସମ୍ପ୍ରତି ମହାନଦୀରେ ବନ୍ୟାଜଳ ଆସିବା ଦ୍ୱାରା ନଦୀ ସମ୍ପୂର୍ଣ୍ଣ ଫୁଲି ଉଠିଛି । ତେବେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ପଡ଼ିଥିବାବେଳେ କିଛି ଲୋକ ଭାସିଯାଇଥିବା ଜଣାପଡ଼ିଛି । ସୌଭାଗ୍ୟକ୍ରମେ ସେମାନେ ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତ ସିମିଳିହାଣ୍ଡସ୍ଥିତ ନନ୍ଦୀକେଶ୍ୱରୀ ପଠାର ଉପରମୁଣ୍ଡରେ ଲାଗିଛନ୍ତି । ନଦୀ ଭିତରୁ ଭାସି ଆସିଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆର୍ତ୍ତ ଚିତ୍କାର କରୁଥିବାବେଳେ ଏପଟେ ଗ୍ରାମବାସୀମାନେ ସ୍ଥାନୀୟ ଟିପିଏମ ଫାଣ୍ଡି ସହିତ ଅଗ୍ନିଶମ ଓ ଓଡ୍ରାଫ ଟିମ୍କୁ ଖବର ଦେଇଛନ୍ତି । ସେମାନେ ପହଞ୍ଚିଲେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ତେଣୁ ଗ୍ରାମବାସୀମାନେ ସେମାନଙ୍କୁ ସାହସ ଦେବା ପାଇଁ ଉଚ୍ଚ ସ୍ୱରରେ ଡାକମାରି ଅପେକ୍ଷା କରିବାକୁ କହୁଛନ୍ତି । ସେମାନେ କେଉଁ ଅଞ୍ଚଳର ଲୋକ ଏବଂ ତାଙ୍କ ପରିଚୟ କ’ଣ ତାହା ଉଦ୍ଧାର ପରେ ଜଣାପଡ଼ିବ ବୋଲି ଗ୍ରାମବାସୀ କହିଛନ୍ତି । ସେମାନଙ୍କ ଉଦ୍ଧାର ଅପେକ୍ଷାରେ ଗ୍ରାମବାସୀମାନେ ମଧ୍ୟ ନଦୀକୂଳରେ ଠିଆ ହୋଇ ସେମାନଙ୍କୁ ଟର୍ଚ୍ଚ ଲାଇଟ ପକାଇ ଧର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଉଛନ୍ତି ।