ମହାନଦୀ ତୁଠ ପାଲଟିଛି ମରଣଯନ୍ତା: ଗାଧୋଇବା ବେଳେ ସଲିଳ ସମାଧି
#ଜଗତପୁର (ଏନ୍.ଏମ୍.): ମହାନଦୀ ତୁଠ ଏବେ ପାଲଟିଛି ମରଣଯନ୍ତା । ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ଫଳରେ ଦୟନୀୟ ନଦୀ ତୁଠ ଯୋଗୁଁ ଆଜି ଜଣେ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି । ସ୍ଥାନୀୟ ଜଗତପୁରସ୍ଥିତ ବଟେଶ୍ୱର ତୁଠରେ ସକାଳ ପ୍ରାୟ ୭ଟା ସମୟରେ ମହାନଦୀରେ ଗାଧୋଉଥିବା ବେଳେ ଭୂବନପୁର ନୂଆ ସାହି ଗ୍ରାମର ବାବାଜୀ ପଣ୍ଡାଙ୍କ ପୁଅ ଲକ୍ଷ୍ମୀଧର ପଣ୍ଡା(୫୬)ଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ସୂଚନା ଅନୁଯାୟୀ, ସବୁଦିନ ପରି ଶ୍ରୀ ପଣ୍ଡା ଆଜି ମଧ୍ୟ ମହାନଦୀକୁ ଗାଧୋଇବାକୁ ଆସିଥିଲେ । ନଦୀ ମଧ୍ୟରେ ଗାଧୋଉଥିବା ସମୟରେ ତୁଠରେ ଗୋଡ ଖସିଯିବାରୁ ଆଉ ନଦୀରୁ ଉଠି ପାରି ନଥିଲେ । ସେହି ତୁଠରେ ଗାଧୋଉଥିବା ଅନ୍ୟ ଲୋକଙ୍କ କହିବା ଅନୁଯାଇ ଆଜି ସକାଳ ସମୟରେ ଘନ କୁହୁଡି ଥିବାରୁ ଅତ୍ୟଧିକ ଥଣ୍ଡା ମଧ୍ୟ ପଡିଥିଲା ଏବଂ ତୁଠଟିର ଅବସ୍ଥା ସମ୍ପୂର୍ଣ୍ଣ କଦର୍ଯ୍ୟ ହୋଇ ଥିବାରୁ କେଉଁଠି ପଥର ଉଠିଯାଇଛି ତ କେଉଁଠି ବଡ ବଡ ଗର୍ତ୍ତରେ ଭରପୁର ରହିଥିବାରୁ ଏପରି ଏକ ଘଟଣା ଘଟିଛି । ମହାନଦୀ ବଟେଶ୍ୱର ତୁଠ ପାଇଁ କିଛି ଅର୍ଥ ମଞ୍ଜୁର ହୋଇଥିବାବେଳେ ଏହି ତୁଠକୁ ମରାମତି କରାନଯାଇ ବିରୂପା ନଦୀରେ ଆଉ ଏକ ନୂତନ ତୁଠ କାହା ସ୍ୱାର୍ଥରେ ନିର୍ମାଣ କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ବଟେଶ୍ୱର ତୁଠକୁ ପ୍ରତିଦିନ ଶହ ଶହ ଲୋକ ଗାଧୋଇବା ତଥା ଶୁଦ୍ଧକ୍ରିୟା ଆଦି ବିଭିନ୍ନ କାମରେ ସାଧାରଣତଃ ଏହି ତୁଠ ଉପରେ ସାଧାରଣ ଲୋକେ ଭରସା କରିଥାନ୍ତି । କିନ୍ତୁ ଏହି ତୁଠର ପୁନରୁଦ୍ଧାର କରାନଯାଇ ବିରୂପା ନଦୀରେ ଏକ ନୂତନ ତୁଠ ନିର୍ମାଣ କାମ ଜାରି ରହିଛି । ଆଉ କେତେ ଜଣଙ୍କ ଜୀବନ ଗଲେ ଏହି ତୁଠକୁ ମରାମତି ହେବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିବା ସହ ତୁରନ୍ତ ଏହି ତୁଠର ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଦାବି ହେଉଛି ।