ମହାନଦୀରେ ସମ୍ଭାବ୍ୟ ବନ୍ୟା: ଆସନ୍ତା କାଲି ମୁଣ୍ଡଳିରେ ନିଷ୍କାସନ ହେବ ୮ଲକ୍ଷ କ୍ୟୁସେକ ଜଳ
ଭୁବନେଶ୍ୱର(ଏନ୍.ଏମ୍.): ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ତେବେ ଆସନ୍ତା କାଲି (ଶନିବାର) ପୂର୍ବାହ୍ନରେ ୮ଲକ୍ଷ କ୍ୟୁସେକ୍ ପାଣି ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ । ଏହାପରେ ଉକ୍ତ ଦିନ ରାତିରେ ଏହି ପାଣି ମହାନଦୀର ଶାଖା ନଦୀରେ ପାର ହେବ । ତେଣୁ ମହାନଦୀରେ ବନ୍ୟା ଆସିପାରେ ବୋଲି ଆକଳନ କରାଯାଉଛି । ଏହା ପ୍ରଭାବରେ ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଏସଆରସି ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଏବଂ ପୁରୀ ଜିଲ୍ଲାରେ ମଧ୍ୟ ଏନେଇ ସତର୍କ ସୂଚନା ବି ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ ଏନଡିଆରଏଫ ଏବଂ ଅଗ୍ନିଶମ ବିଭାଗ ଟିମ୍ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ହୀରାକୁଦଠାରେ ୨୮ଟି ଗେଟ ଖୋଲାଯାଇ ଉଦ୍ବୁଦ୍ଦ ଜଳ ନିଷ୍କାସନ ହେଉଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଜଳ ଭଣ୍ଡାରକୁ ୪ ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମପରିମାଣର ଜଳ ମଧ୍ୟ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳ ସ୍ତର ୬୨୮.୮୩ ଫୁଟ ରହିଛି । ବାଲେଶ୍ୱରର ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ୧୦.୩୬ମିଟର ଛୁଇଁଛି । ଏଥିଯୋଗୁଁ ଭୋଗରାଇ ବ୍ଲକର ୪୦ଟି ଗାଁ, ବାଲିଆପାଳ ବ୍ଳକର ୪୩୦ଟି ଗାଁ ଜଳମଗ୍ନ ହୋଇଯାଇଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡିଯାଇଛି । ଏବେ ବର୍ଷା ହେଉ ନ ଥିଲେ ମଧ୍ୟ ପୁରୀ ଜିଲ୍ଲାର କାକଟପୁର, ଗୋପ ଓ ଅସ୍ତରଙ୍ଗ ବ୍ଲକର ବହୁ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଗୋପ ବ୍ଲକର ବିରତୁଙ୍ଗ, ବଉଳାଙ୍ଗ, ମହଲାପଡା, ସିମିଳି ଓ କାକଟପୁରର କାଦୁଆ, ଅବଦାନ ଓ ବାଙ୍ଗୁରି ଏବଂ ଅସ୍ତରଙ୍ଗର କୋରଣା, ଶିଶୁଆ ପଞ୍ଚାୟତର ଶହେରୁ ଅଧିକ ଗାଁ ୪ଦିନ ହେଲା ପାଣି ଘେରରେ ଅଛନ୍ତି । କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ଉପରେ ଏବେ ବି ପାଣି ଚାଲୁଛି । ପାଣି ଜମି ରହିଥିବାରୁ ହଜାର ହଜାର ହେକ୍ଟର ଚାଷଜମି ଉଜୁଡି ଯାଇଛି । ଗାଁରୁ ବାହାରିବା ପାଇଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଗାଁରେ ଯିବା ଆସିବା ପାଇଁ ଦେଶୀ ଡଙ୍ଗା ଏକମାତ୍ର ମାଧ୍ୟମ ପାଲଟିଛି । ସେହିପରି ସୁନ୍ଦରଗଡ ବଣାଇ ବ୍ଲକର ଜାଙ୍ଗଳାକୁ ସଂଯୋଗ କରୁଥିବା ସିଆଁ ଜୋର ଉପରେ ପ୍ରାୟ ସାଢ଼େ ୩ଫୁଟ ଉଚ୍ଚର ପାଣି ଚାଲିଛି । ପ୍ରାୟ ୩ କିଲୋମିଟର ରାସ୍ତା ଉପରେ ପାଣି ଜମି ରହିଛି । ଏଥିସହ ଧାନ ଚାଷ ହୋଇଥିବା ଏକର ଏକର ଜମି ପାଣିରେ ବୁଡିଯାଇଛି ।