ମହାନଦୀରେ ବନ୍ୟା: ଭାସିଆସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଚୌଦ୍ୱାର ଅଗ୍ନିଶମ ବାହିନୀ

ମହାନଦୀରେ ବନ୍ୟା: ଭାସିଆସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଚୌଦ୍ୱାର ଅଗ୍ନିଶମ ବାହିନୀ

ମହାନଦୀରେ ବନ୍ୟା: ଭାସିଆସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଚୌଦ୍ୱାର ଅଗ୍ନିଶମ ବାହିନୀ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ହୀରାକୁଦ ଜଳଭଣ୍ଡାରର ବାମପଟରୁ ୧୬ଟି ଦକ୍ଷିଣ ପଟରେ୧୦ଟି ମୋଟ ୨୬ଟି ଗେଟ ଯୋଗେ ଜଳଭଣ୍ଡାରରୁ ଉଦ୍‌ବୁଦ୍ଦ ଜଳ ନିଷ୍କାସିନ ଚାଲିଥିବା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସଂଧ୍ୟା ସୁଧା ଜଳଭଣ୍ଡାରକୁ ୨,୯୬,୬୬୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୩,୫୩,୮୪୨ କ୍ୟୁସେକ୍ ନିଷ୍କାସିତ କରାଯାଉଛି । ଫଳରେ ମହାନଦୀର ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ପ୍ରାୟ ସଂଧ୍ୟା ୭ଟା ସମୟରେ କଟକ ଜିଲ୍ଲା କଖଡ଼ି ଗ୍ରାମର ଶ୍ରୀନିବାସ ନାୟକ (୫୦) ନାମକ ଜଣେ ବ୍ୟକ୍ତି ଶୌଚହେବାକୁ ମହାନଦୀକୁ ଆସିଥିଲେ । ସବୁ ଦିନ ଭଳି ଶୌଚହେବା ସ୍ଥାନକୁ ଯାଇଥିବାବେଳେ ସେଠାରେ ପ୍ରଖର ସୁଅ ଥିବାରୁ ନଦୀରେ ଭାସିଯାଇଥିଲେ । ତେବେ ଘଣ୍ଟାଏ ପର୍ଯ୍ୟନ୍ତ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ଶ୍ରୀ ନାୟକ ଭାସିଯାଇଥିବାବେଳେ ସୌଭାଗ୍ୟକ୍ରମେ ଚୌଦ୍ୱାର ଅଞ୍ଚଳ କୟଳପଡ଼ା ପଞ୍ଚାୟତ ସିମିଳିହାଣ୍ଡ ନିକଟରେ ଥିବା ନନ୍ଦୀକେଶ୍ୱରୀ ପଠା ଉପର ମୁଣ୍ଡ ପର୍ଯ୍ୟନ୍ତ ଭାସି ଆସି ପଠାରେ ଥିବା ବୁଦାକୁ ଧରି ପକାଇଥିଲେ । କିଛି ସମୟ ପରେ ସେ ସେଠାରୁ ଉଦ୍ଧାର କରିବା ପାଇଁ ଆର୍ତ୍ତ ଚିତ୍କାର କରିଥିଲେ । ତାଙ୍କ ଆର୍ତ୍ତ ଚିତ୍କାର ଶୁଣି ଶିମିଳିହାଣ୍ଡ ଗ୍ରାମର କିଛି ଲୋକ ନଦୀକୂଳକୁ ଧାଇଁ ଯାଇଥିଲେ । ମାତ୍ର ନଦୀରେ ପ୍ରଖର ସ୍ରୋତ ଯୋଗୁଁ ତାଙ୍କୁ ଉଦ୍ଧାର କରିବା ସମ୍ଭବପର ନହେବାରୁ ସ୍ଥାନୀୟ ଟିପିଏମ ଫାଣ୍ଡି ଏବଂ ଚୌଦ୍ୱାର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ବୋଟରେ କର୍ମଚାରୀମାନେ ଶ୍ରୀ ନାୟକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ଼ମେଡ଼ିକାଲ ପଠାଇଛନ୍ତି । ଅଗ୍ନିଶମ ବିଭାଗର ଏଭଳି କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରଶଂସା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ