ମହାନଦୀରେ ଚାଲିବ କ୍ରୁଜ୍, ୭ ସ୍ଥାନରେ ମିଳିବ ଇକୋ ରିଟ୍ରିଟ ସୁବିଧା
ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟରେ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି । ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ କରାଯିବା ସହ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଆଉ ଦୁଇ ପାଦ ଆଗକୁ ବଢ଼ିଛି । ଓଡ଼ିଶାରେ ମଧ୍ୟ ଗୋଆ ଓ କୋଲକତା ଭଳି ନଦୀଭିତ୍ତିକ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଉଛି । ଏହି ଯୋଜନାରେ ମହାନଦୀ ଭିତରେ ପର୍ଯ୍ୟଟକମାନେ ବୁଲିବାର ସୁଯୋଗ ପାଇ ପାରିବେ । ଜାହାଜ ଭିତରେ ବୁଲିବା ସହିତ ଭୋଜନର ବ୍ୟବସ୍ଥା ରହିବ । ଏଥିରେ ପର୍ଯ୍ୟଟକ ଭ୍ରମଣ କରିବେ ଏବଂ ବିଭିନ୍ନ ସ୍ଥାନରେ ରହଣି କରିପାରିବେ । ତେବେ କେଉଁ ସ୍ଥାନରେ ରହଣିସ୍ଥଳ କରାଯିବ ସେ ଯୋଜନା ଚାଲିଛି । ଅଗଷ୍ଟ ଶେଷ ସୁଦ୍ଧା ଏହାର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବା ସହ କାର୍ଯ୍ୟ ଆରମ୍ଭ କରାଯିବ । ଏହି ସୂଚନା ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଦେଇଛନ୍ତି । କରୋନା ମହାମାରୀ ପୂର୍ବରୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ବିକାଶ ଏବଂ ପର୍ଯ୍ୟଟକଙ୍କୁ ଓଡିଶା ପ୍ରତି ଆକୃଷ୍ଟ କରିବା ପାଇଁ ଏଭଳି ଅଭିନବ ଯୋଜନା କରିଥିଲେ । ମାତ୍ର କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଏହି ସବୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ସମ୍ଭବ ହୋଇ ପାରିନଥିଲା । ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ପଡ଼ିରହିଥିବା ସରକାରୀ ଯୋଜନାଗୁଡ଼ିକ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଏବେ ପର୍ଯ୍ୟଟନ ବିଭାଗ ମଧ୍ୟ ନିଜର କାର୍ଯ୍ୟ ଆରମ୍ଭ କରିଛି । କଟକର ତାଳଦଣ୍ଡାରେ ବୋଟିଂ କ୍ଲବ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ହୀରାକୁଦ ଓ କଟକରେ ବୋଟିଂ ସେବା ଆରମ୍ଭ କରାଯାଇଛି । ଏବେ ଲୋକେ ବାହାର ରାଜ୍ୟକୁ ନଯାଇ ଓଡିଶାରେ ମଧ୍ୟ ବୋଟିଂ ସୁବିଧା ପାଇପାରିବେ । ରାଜ୍ୟର ଏହି ପର୍ଯ୍ୟଟନ କ୍ଷେତ୍ର କେବଳ ଓଡିଶା ନୁହେଁ ବରଂ ବାହାର ରାଜ୍ୟବାସୀଙ୍କୁ ଆକୃଷ୍ଟ କରିବ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି । ତେବେ ପ୍ରଥମ ଥର ପାଇଁ ରାଜ୍ୟର ୭ଟି ସ୍ଥାନରେ ପର୍ଯ୍ୟଟକମାନେ ଇକୋ ରିଟ୍ରିଟର ସୁବିଧା ପାଇପାରିବେ । ପର୍ଯ୍ୟଟକମାନଙ୍କୁ ଅସ୍ଥାୟୀ ତମ୍ବୁ ତଳେ ମଧ୍ୟ ତାରକା ହୋଟେଲର ସୁବିଧା ମିଳିବ । ଏହିସବୁ କ୍ଷେତ୍ରରେ ଜଳକ୍ରୀଡ଼ା, ବୋଟିଂ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବିଧା ମଧ୍ୟ ମିଳିବ । ତେବେ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏଭଳି ପଦକ୍ଷେପ ନେଉଥିବା ଓଟିଡ଼ିସି ପକ୍ଷରୁ କୁହାଯାଇଛି । ତେବେ ଚଳିତ ବର୍ଷ କୋଣାର୍କ, ହୀରାକୁଦ, ଦାରିଙ୍ଗବାଡି, ସାତକୋଶିଆ, ଭିତରକନିକା ସହିତ ଗୋପାଳପୁରର ପତିସୋନପୁର ଓ ଦେଓମାଳିର ପଟୁସିନେରୀରେ ଇକୋ ରିଟ୍ରିଟ କରାଯିବ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି ।