ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ : ୧ ମୃତ,୨ ନିଖୋଜ

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ : ୧ ମୃତ,୨ ନିଖୋଜ

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ : ୧ ମୃତ,୨ ନିଖୋଜ

ଫଟୋ- କାହ୍ନୁଚରଣ ପଣ୍ଡା

କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ଯୋବ୍ରା ବ୍ୟାରେଜ ସ୍ଥିତ ମହାନଦୀକୁ ଗାଧୋଇବା ପାଇଁ ଆସିଥିବା ୩ଜଣ ସାଙ୍ଗ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି । ଜଗତପୁର ପୁଲିସଠାରୁ ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବ୍ୟାରେଜ ବିଭାଗ ପକ୍ଷରୁଗେଟକୁ ବନ୍ଦ ରଖାଯିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ନିଖୋଜଙ୍କ ମଧ୍ୟରୁ ଜଣକୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠରେ ମୃତ ଘୋଷଣା କରିଥିଲେ । ମୃତକ ଜଣକ ମାଲଗୋଦାମ ଥାନା ଚାରିଘରିଆ ଚୂନଭାଟି ଗଳିର ସାହିଲ ଖାନ(୧୮) ଓ ସେ ସ୍ଥାନୀୟ ଖ୍ରୀଷ୍ଟ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷର ଛାତ୍ର ବୋଲି ପରିବାର ଲୋକେ କହିଛନ୍ତି । ଅନ୍ୟ ୨ଜଣ ନିଖୋଜଙ୍କ ମଧ୍ୟରେ ସେହି ଅଞ୍ଚଳର ମହମ୍ମଦ ସିଦ୍ଦିକ(୧୭) ଓ ଆୟୁର ଖାନ(୧୭) ବୋଲି ଜଣାପଡିଛି । ଉଭୟେ କରୋନା ସମୟରୁ ପାଠ ପଢା ଛାଡି ସ୍ଥାନୀୟ ଅଞ୍ଚଳରେ ଓଲଡିଂ କାର୍ଯ୍ୟ କରୁଥିଲେ । ପ୍ରାପ୍ତ ସୂଚନା ମୁତାବକ, ଯୋବ୍ରା ଚାରିଘରିଆ ଚୂନ ଭାଟି ଗଳିର ୩ ଜଣ ସାଙ୍ଗ ସ୍ଥାନୀୟ ମସଜିଦରେ ବିଶ୍ରାମ ନେବାକୁ ପରିବାର ଲୋକଙ୍କୁ କହି ମହାନଦୀକୁ ଗାଧୋଇବାକୁ ଚାଲି ଆସିଥିଲେ । ଆଜି ପ୍ରାୟ ଦିନ ୧.୩୦ଟା ବେଳେ ସେମାନେ ମହାନଦୀରେ ପହଞ୍ଚି ପ୍ୟାଣ୍ଟ ସାର୍ଟ ଓ ଚପଲ ରଖି ଗାଧୋଇବାକୁ ନଦୀ ପାଣିକୁ ପ୍ରବେଶ କରିଥିଲେ । କିନ୍ତୁ ପହଁରା ଜଣାନଥିବାରୁ ନଦୀର ପ୍ରଖର ସ୍ରୋତରେ ସିଦ୍ଦିକ ଭାସି ଯାଉଥିବା ଦେଖି ଅନ୍ୟ ୨ସାଙ୍ଗ ତାକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ହେଲେ ସାହିଲ ଓ ଆୟୁର ମଧ୍ୟ ନଦୀ ସ୍ରୋତରେ ନିଖୋଜ ହୋଇ ଯାଇଥିଲେ । ଘଟଣାସ୍ଥଳରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ସମେତ କଟକ ଜୋନ-୧ ଏସିପି ଶୁଭନାରାୟଣ ମୁଦୁଲି, ଜଗତପୁର ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେର, ମାଲଗୋଦାମ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରିଥିଲେ । ତେବେ ସନ୍ଧ୍ୟା ହୋଇଯିବା କାରଣରୁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇ ଆସନ୍ତାକାଲି ସକାଳ ବେଳା ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ଉଦ୍ଧାରକାରୀ ଟିମ ମୁଖ୍ୟଙ୍କ ଠାରୁ ଜଣାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ