ମହାନଦୀରେ ଗାଧୋଇବା କାଳ ହେଲା: ୪ ସାଙ୍ଗଙ୍କ ମୃତଦେହ ଉଦ୍ଧାର

ମହାନଦୀରେ ଗାଧୋଇବା କାଳ ହେଲା: ୪ ସାଙ୍ଗଙ୍କ ମୃତଦେହ ଉଦ୍ଧାର

ମହାନଦୀରେ ଗାଧୋଇବା କାଳ ହେଲା: ୪ ସାଙ୍ଗଙ୍କ ମୃତଦେହ ଉଦ୍ଧାର


କଟକ(ଏନ୍‌.ଏମ୍‌.): ମହାନଦୀରେ ଗାଧୋଇବାକୁ ଯାଇ ଫେରିନଥିଲେ ୪ସାଙ୍ଗ । ଗତକାଲି ମହାନଦୀକୁ ଯାଇଥିବାବେଳେ ବିଳମ୍ବିତ ରାତିରେ ଜଣେ ଏବଂ ଆଜି ୩ଜଣଙ୍କ ମୃତ ଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ସ୍କୁଲରୁ ଫେରିବା ପରେ ଘରେ ବାହାନା କରି ନଦୀ ଘାଟକୁ ଚାଲି ଯାଇଥିବା ସମସ୍ତ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ କ୍ଷେତ୍ରବାସୀ ବେହେରା, ଶୁଭମ୍ ସେଠୀ, ଚନ୍ଦନ ବେହେରା, ଆକାଶ ବାହାଳିଆ ବୋଲି ଜଣାପଡ଼ିଛି । ସେମାନେ ସମସ୍ତେ ଅଷ୍ଟମ ଶ୍ରେଣୀର ଛାତ୍ର ଏବଂ ସ୍ଥାନୀୟ ନୂଆବଜାର ପୋତାପୋଖରୀ ଓ ବିନାୟକ ନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ସମସ୍ତ ଛାତ୍ର ସାଇକେଲ ଯୋଗେ ସ୍କୁଲ ଯାଇ ଘରକୁ ଫେରିଥିଲେ । ଏହା ପରେ ସାଙ୍ଗ ପାଖରୁ ଆସୁଛି କହି ଡକାଡକି ହୋଇ ଭଦିମୂଳ ଘାଟକୁ ଚାଲିଗଲେ । ସନ୍ଧ୍ୟା ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ଏହାପରେ ମହାନଦୀ ଘାଟ ପାଖରେ ସାଇକେଲ୍ ଥିବା ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜାଖୋଜି କରିବାରୁ କ୍ଷେତ୍ରବାସୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ କଟକ ବଡ଼ମେଡ଼ିକାଲ(ଏସସିବି)କୁ ନେଇଯାଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ବହୁ ଖୋଜାଖୋଜି ପରେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସ୍କୁଲରୁ ଫେରିବା ପରେ ଡକାଡକି ହୋଇ ୪ସାଙ୍ଗ ଭଦିମୂଳ ଘାଟକୁ ଯାଇଥିଲେ । ସେଠାରେ ନଦୀବାଲିରେ ସାଇକେଲ ରଖି ପାଣିରେ ପଶିଥିଲେ । ହେଲେ ନଦୀର ପ୍ରଖର ସ୍ରୋତ କିମ୍ବା ଚୋରାବାଲିରେ ଫସି ଯାଇଥିବା ଅନୁମାନ କରାଯାଉଛି । ଆଜି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଶବ ଉଦ୍ଧାର କରିବା ସମୟରେ ମୃତକ ପରିବାର ସଦସ୍ୟଙ୍କ କାନ୍ଦବୋବାଳିରେ ନଦୀଘାଟ ଫାଟିପଡ଼ୁଥିଲା । ଉପସ୍ଥିତ ଲୋକମାନେ ମଧ୍ୟ ଅଶ୍ରୁଳ ନୟନରେ କେବଳ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଏସିପି ଜୋନ-୧ ଅମରେନ୍ଦ୍ର ପଣ୍ଡା, ଚାଉଳିଆଗଞ୍ଜ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ