ମଶାକଣି ୱେୟାର ହାଉସ୍ ହତ୍ୟା ଘଟଣାର ପର୍ଦ୍ଦାଫାସ
ଗାଳି ପାଇଁ ମିସ୍ତ୍ରୀଙ୍କୁ ହତ୍ୟା କଲେ ମଉସା-ପୁତୁରା

କେନ୍ଦ୍ରାପଡ଼ା(ଆହ୍ଲାଦ ମହାନ୍ତି): ମାର୍ଶାଘାଇ ଥାନା ଅନ୍ତର୍ଗତ ମଶାକଣି ସେଂଟ୍ରାଲ ୱେୟାର ହାଉସ୍ ପାଖରେ ଘଟିଥିବା ରାଜମିସ୍ତ୍ରୀ ରାମଚନ୍ଦ୍ର ଘଡାଇ ଓରଫ କାଳିଆ(୩୦)ଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ଗତ ଫେବୃଆରୀ ୨୭ ତାରିଖରେ ଘଟିଥିବା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ଜଣଙ୍କୁ ମାର୍ଶାଘାଇ ପୁଲିସ ମାତ୍ର ୩୬ଘଂଟା ମଧ୍ୟରେ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ନାରାୟଣ ନାୟକ ଓରଫ ଲିପୁ(୨୧) ତାଙ୍କ ମଉସା ଖୋର୍ଦ୍ଧା ଜିଲା ବାଣପୁର ଥାନା ଲାଠିପଡ଼ା ପୁଞ୍ଜିମା ଶାସନର ରଞ୍ଜିତ ନାୟକ ଓରଫ କଂସ (୩୫) ବୋଲି ଜଣାପଡ଼ିଛି । ପୁଲିସ ଶୁକ୍ରବାର ଉଭୟ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା । ଏଠାରୁ ପୁଲିସ ମୃତକଙ୍କ ଏଟିଏମ୍ କାର୍ଡ, ସିମ୍ କାର୍ଡ଼, ହତ୍ୟାରେ ବ୍ୟବହୃତ ଶାବଳ, ଗୋଟିଏ ବଡ଼ ଶାବଳ, ହାମର, ଅଭିଯୁ୍କ୍ତଙ୍କ ଗୋଟିଏ ମୋବାଇଲ ଜବତ କରିଛି । ମାର୍ଶାଘାଇ ଥାନା ପୁଲିସ ଏମାନଙ୍କ ବିରୋଧରେ ୬୮/୨୦୨୨ରେ ମାମଲା ରୁଜୁ କରି ଆଇପିସି ଧାରା ୩୦୨/୨୦୧ ଓ ୩୪ ଅନୁଯାଇ କୋର୍ଟଚାଲାଣ କରିଛି ବୋଲି ଆଇଆଇସି ପ୍ରଦୀପ୍ତ କୁମାର କାନୁନଗୋ ସୂଚନା ଦେଇଛନ୍ତି । ତେବେ ଅଦାଲତରେ ଏମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି ।
ସୂଚନାଯୋଗ୍ୟ ଗତ ୧ତାରିଖରେ ସେଣ୍ଟ୍ରାଲ ୱେୟାର ହାଉସ୍ ପଛ ପଟରେ ପଡ଼ିଥିବା ବାଲିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋତା ହୋଇଥିବା ନେଇ ବଡ଼ପାଳ ଗ୍ରାମର ଜଣେ ବ୍ୟକ୍ତି ମାର୍ଶାଘାଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧାନ ଚଳାଇଥିଲା । ପରେ ମୃତ ବ୍ୟକ୍ତିଙ୍କ ପରିଚୟ ରାମଚନ୍ଦ୍ର ବୋଲି ଜଣାପଡ଼ିଥିଲା । ରାମଚନ୍ଦ୍ରଙ୍କ ପତ୍ନୀ ଶବ ଚିହ୍ନଟ କରିଥିଲେ । ପୁଲିସ ତଦନ୍ତ କରି ରାମଚନ୍ଦ୍ରଙ୍କ ସହ କାମ କରୁଥିବା ଲିପୁ ଓ କଂସଙ୍କ ତାଙ୍କ ଗ୍ରାମରୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାସ କରିଥିଲା । ଆଇଆଇସି କାନୁନଗୋଙ୍କ ସୂଚନା ମୁତାବକ ୨୭ତାରିଖରେ ରାମଚନ୍ଦ୍ର, ଲିପୁ ଓ କଂସ ୱେୟାର ହାଉସରେ କାର୍ଯ୍ୟ କରୁଥିଲେ । ତେବେ କଂସଙ୍କ କାର୍ଯ୍ୟକୁ ନେଇ ରାମଚନ୍ଦ୍ର ଅସନ୍ତୋଷ ହେବା ସହ ଉଭୟ ଲିପୁ ଓ ତାଙ୍କୁ ଗାଳିଗୁଲଜ କରିଥିଲେ । ରାତିରେ ଲିପୁ ଓ କଂସ କୁକୁଡ଼ା ଏବଂ ମାଛ ରୋଷେଇ କରି ରାମଚନ୍ଦ୍ରଙ୍କୁ ଖାଇବାକୁ ଡାକିଥିଲେ । ମାତ୍ର ରାମଚନ୍ଦ୍ର ପୁନର୍ବାର ସେମାନଙ୍କୁ ଗାଳିଗୁଲଜ କରିବାରୁ ଲିପୁ ପାଖରେ ପଡ଼ିଥିବା ଏକ ଛୋଟ ଶାବଳରେ ରାମଚନ୍ଦ୍ରଙ୍କ ମୁଣ୍ଡକୁ ଆଘାତ କରିଥିଲେ । ରାମଚନ୍ଦ୍ର ଚେତା ହରାଇବା ପରେ ଲିପୁ ଓ କଂସ ଉକ୍ତ ଶାବଳକୁ ତାଙ୍କୁ ମୁଣ୍ଡରେ ବାଡେଇ ତଣ୍ଟିପଟେ ବାହାର କରି ଦେଇଥିଲେ । ରାମଚନ୍ଦ୍ର ମରିଯିବା ପରେ ପାଖରେ ଥିବା ବାଲିଗଦାରେ ଦୁହେଁ ତାଙ୍କୁ ଖୋଳି ପୋତି ଦେଇ ପିନ୍ଧିଥିବା ପ୍ୟାଣ୍ଟ ଓ ସାର୍ଟ ସେହି ନିକଟରେ ଗଦା ହୋଇଥିବା ପ୍ଲାଷ୍ଟିକ ପାଇପ୍ ଭିତରେ ଲୁଚାଇ ଅଲଗା ପ୍ୟାଣ୍ଟ ସାର୍ଟ ପିନ୍ଧି ପାଚେରୀ ଡେଇଁ ଫେରାର ହୋଇ ଯାଇଥିଲେ ।