ମମିତା ମେହେର ହତ୍ୟା ମାମଲା: ଜେଲ ଭିତରେ ଆତ୍ମହତ୍ୟା କଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
#ବଲାଙ୍ଗିର/ଭୁବନେଶ୍ୱର(ଏନ୍.ଏମ୍.): ମମିତା ମେହେର ହତ୍ୟା ମାମଲାକୁ ନେଇ ଦ୍ୱନ୍ଦ ଅଧିକ ବଢ଼ିଯାଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ ଉପୁଜିଛି । ପ୍ରାପ୍ତ ସୂଚନା ଅନୁଯାୟୀ ୨୦ତାରିଖ ମଙ୍ଗଳବାର ସକାଳେ ସେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଝି ଜେଲ୍ରେ ସଜା କାଟୁଥିବାବେଳେ ଜେଲ ପରିସରରେ ରୋଷେଇ ଘର ପାଖ ଏକ ଗଛରେ ଟାୱେଲ ଲଗାଇ ଝୁଲି ପଡ଼ିଥିଲେ । ଏହା ଦେଖି ଜେଲ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣା ସମ୍ପର୍କରେ ଜେଲ୍ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଆଜି ଗୋବିନ୍ଦଙ୍କୁ କୋର୍ଟରେ ହାଜର କରାଯାଇଥାନ୍ତା । ହୁଏତ କିଛି ସତ୍ୟର ଉନ୍ମୋଚନ ହୋଇ ପାରିଥାନ୍ତା; କିନ୍ତୁ ହଠାତ ତାଙ୍କର ମୃତ୍ୟୁ ହେବା ପରେ ଏହି ଘଟଣାରେ ଜଡ଼ିତ ଥିବା ଅନ୍ୟଅପରାଧିମାନେ ଏହି ମାମଲାରୁ ଖସିଯିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେବେ ଏହି ମାମଲାରେ ପ୍ରାୟ ସମସ୍ତ ପକ୍ଷର ସାକ୍ଷ୍ୟ ଶୁଣାଣି ସରିଥିଲା । ମମିତାଙ୍କ ପରିବାର ଲୋକେ ମଧ୍ୟ ସାକ୍ଷ୍ୟ ଦେଇ ସାରିଥିଲେ । ଅନ୍ୟପକ୍ଷରେ ଗୋବିନ୍ଦ ଆବେଦନ କରିଥିବା ଜାମିନ୍ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା । ଏକଦା ଏହି ମାମଲା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ବିଧାୟକ ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା । ତେଣୁ ଏଭଳି ଏକ ଚର୍ଚ୍ଚିତ ଘଟଣାର ମୁଖ୍ୟ ଅଭିଯୁକ୍ତ ହଠାତ୍ ମୃତ୍ୟୁବରଣ କରିବା ପଛରେ କି ରହସ୍ୟ ରହିଛି ତାହା ଜାଣିବା ପାଇଁ ଲୋକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏ ନେଇ ପୂର୍ବତନ ଜେଲ ଡିଆଜି ବଙ୍କିମ ମହାନ୍ତି କହିଛନ୍ତି, ଏହା ଜେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ସୁରକ୍ଷାରେ ଥିବା ତୃଟି ଯୋଗୁଁ ଘଟିଛି । କାରଣ ଜେଲରେ ଥିବା ସମସ୍ତ କଏଦୀଙ୍କ ପାଖେପାଖେ ଜଗିବାକୁ ୨୪ ଘଣ୍ଟା ଗାର୍ଡ ମୁତୟନ ଥାଆନ୍ତି । ଅନ୍ୟପଟେ ଜଣାପଡ଼ିଛି ଯେ, କଣ୍ଟାବାଞ୍ଝି ଜେଲରେ ଥିବା ୭୧ ଜଣ କଏଦୀଙ୍କୁ ଭିତରୁ ୬୭ ଜଣ ବିଚାରାଧୀନ କଏଦୀ । ମାତ୍ର ୪ ଜଣ ଦୋଷୀ ସାବ୍ୟସ୍ତ କଏଦୀ ଥିଲେ । ଗୋବିନ୍ଦଙ୍କୁ ସ୍ୱତନ୍ତ୍ର ୱାର୍ଡରେ ନରଖି ଅନ୍ୟ କଏଦୀଙ୍କ ଭିତରେ ରଖାଯାଇଥିଲା । ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସ୍ ମିଟ୍ କରି ଏହି ଅଭିଯୋଗ କରିଛନ୍ତି । ଏହି ମାମଲାରେ ନାଁ ଆସିଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍ ଚିଟ୍ ଦେବାକୁ ଏହା ଷଡଯନ୍ତ୍ର । ତେଣୁ ମମିତା ମେହେର ହତ୍ୟା ମାମଲା ଓ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ମାମଲାରେ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ପୁଲିସ ପୂର୍ବରୁ ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ୨ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେ ନାଁ ଉଲ୍ଲେଖ ରହିଥିଲା । ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଗତବର୍ଷ ଅକ୍ଟୋବର ୮ତାରିଖରେ ମହାଲିଙ୍ଗ ସ୍କୁଲ ପଡିଆରେ ହତ୍ୟା କରାଯାଇଥିଲା । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ ହୋଇଥିଲା । ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ ଏହି ଜେସିବି ବ୍ୟବହାର କରିଥିଲା । ସେହିପରି ଶବ ପୋଡ଼ିବା ପାଇଁ ଟାୟାର ଆଣିବାକୁ ଏହି ସ୍କୁଟି ବ୍ୟବାହର କରାଯାଇଥିଲା । ଜେ.ସି.ବି ଡ୍ରାଇଭର ଗାତ ଖୋଲିବା ଏବଂ ଗାତ ପୋତିବା କାମ କରିଥିଲେ, ମଧ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିନଥିବା କହିବାରୁ ପୁଲିସ ତାକୁ ଛାଡି ଦେଇଥିଲା । ଏପରିକି ଜେ.ସି.ବି ଡ୍ରାଇଭରକୁ ପୁଲିସ ସାକ୍ଷୀ କରିଥିଲା । ସେପଟେ ରାଧେ ଘରୁ ଗୋଟିଏ ବ୍ୟାଗ୍ ମିଳିଥିଲା । ସେହି ବ୍ୟାଗରୁ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ମୋବାଇଲ୍ ଫୋନ୍ ଚାର୍ଜର, ୩ ହଳ ମହିଳା ଡ୍ରେସ୍ ଓ କିଛି ଔଷଧ ମିଳିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ତତ୍କାଳିନ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲେ । ଚଳିତ ମାସ ୧ ତାରିଖରେ ଏହି ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଗୋବିନ୍ଦଙ୍କ ସମ୍ପର୍କିୟ ପୁତୁରା ତଥା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ସେନଚେର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୃତିବାସ ଚନ୍ଦନପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା ।