ମଧ୍ୟାହ୍ନ ଭୋଜନ ଜାଳେଣି ଚୋରି: ଶିକ୍ଷୟିତ୍ରୀ ହଟ୍ଟହଟ୍ଟା

ମଧ୍ୟାହ୍ନ ଭୋଜନ ଜାଳେଣି ଚୋରି: ଶିକ୍ଷୟିତ୍ରୀ ହଟ୍ଟହଟ୍ଟା

ମଧ୍ୟାହ୍ନ ଭୋଜନ ଜାଳେଣି ଚୋରି: ଶିକ୍ଷୟିତ୍ରୀ ହଟ୍ଟହଟ୍ଟା

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ଶନିବାର ଅପରାହ୍ନରେ ଗୋପ ବ୍ଲକ୍ ତଥା କୋଣାର୍କ ଥାନା ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରୁ ସଂପୃକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ବିନୋଦିନୀ ତ୍ରିପାଠୀ ଓ ତାଙ୍କ ସ୍ୱାମୀ ତଥା କୁନଙ୍ଗ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଦୟ କୁମାର ବଡପଣ୍ଡା ମଧ୍ୟାହ୍ନ ଭୋଜନ ଜାଳେଣି କାଠ ଓ ଗ୍ୟାସ୍ ସିଲିଣ୍ଡର ଚୋରିକରି ନେବାବେଳେ ଗ୍ରାମବାସୀଙ୍କ ହାତରେ ଧରାପଡି ହଟହଟା ହୋଇଛନ୍ତି । ଘଟଣାସ୍ଥଳରେ କୋଣାର୍କ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ବିନୋଦିନୀଙ୍କୁ ଉଦ୍ଧାର କରିଛି । ତେବେ ଘଟଣା ସମ୍ପର୍କରେ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷକ ସୁଶାନ୍ତ ବେହେରା ଓ ସ୍କୁଲ ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ସେଠୀଙ୍କ ଏତାଲାକୁ ପୁଲିସ ନରଖିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗ୍ରାମବାସୀମାନେ କୋଣାର୍କ ଥାନା ଘେରାଉ କରିବାକୁ ପ୍ରସ୍ତୁତ ହେଉଥିବା ଜାଣି ପରେ ପୁଲିସ ଏତାଲା ଗ୍ରହଣ କରିଥିବା ଜଣାପଡିଛି । ଲିଖିତ ଏତଲା ତଥା ଶିକ୍ଷକ ସୁଶାନ୍ତ ବେହେରା ଓ ସ୍କୁଲ ସଭାପତି ସୁବାସ ସେଠୀଙ୍କ କହିବା ଅନୁଯାୟୀ, ଗତ ୧୦ତାରିଖରୁ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ବିନୋଦିନୀ ବଦଳି ହୋଇ କରମଙ୍ଗା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇଛନ୍ତି । ଚତୁରତାର ସହିତ ବିନୋଦିନୀ ସ୍କୁଲର ଗୋଟିଏ ସେଟ୍ ଚାବି ନିଜ ପାଖରେ ରଖଛନ୍ତିି । ଶନିବାର ସ୍କୁଲ ଛୁଟି ଥିବାବେଳେ ବିନୋଦିନୀ ଓ ତାଙ୍କ ସ୍ୱାମୀ ଅପରାହ୍ନ ସାଢେ ୨ଟାରେ ଗୋଟିଏ ଡାଲା ଅଟୋ ନେଇ ସ୍କୁଲ ପରିସରରେ ପହଞ୍ଚିଥିଲେ । ସ୍କୁଲ ପରିସରରେ କେହି ନଥିବାର ସୁଯୋଗ ନେଇ କାର୍ଯ୍ୟାଳୟ ଓ ଶ୍ରେଣୀଗୃହର ତାଲା ଖୋଲି ମଧ୍ୟାହ୍ନ ଭୋଜନ ଉଦ୍ଦେଶ୍ୟରେ ଗଚ୍ଛିତ ଜାଳେଣି କାଠ, ଗୋଟିଏ ଏଲପିଜି ସିଲିଣ୍ଡର ସମେତ ଅନ୍ୟାନ୍ୟ ସାମଗ୍ରୀ ଏବଂ କେତେକ ଜରୁରୀ କାଗଜପତ୍ର ଡାଲା ଅଟୋରେ ଲଦି ଫେରାର ହେଉଥିବା ସମୟରେ ଗ୍ରାମବାସୀଙ୍କ ହାତରେ ଧରା ପଡିଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଟୋରୁ ସମସ୍ତ ସାମଗ୍ରୀ ଖାଲି କରାଯାଇଥିଲା । ଗ୍ରାମବାସୀମାନଙ୍କ ଘେରାଉ କବଳରୁ ସ୍ୱାମୀ-ସ୍ତ୍ରୀଙ୍କୁ ପୁଲିସ ଉଦ୍ଧାର କରି ଥାନାକୁ ଆଣିବା ପରେ ତାଙ୍କୁ ଗିରଫ ନକରି ଛାଡି ଦେଇଥିବା ସ୍କୁଲ ସଭାପତି ସୁବାସ ସେଠୀ ଅଭିଯୋଗ କରିଛନ୍ତି । ଜଣେ ପ୍ରଭାଶାଳୀ ନେତ୍ରୀଙ୍କ ଛତ୍ରଛାୟା ତଳେ ବିନୋଦିନୀଙ୍କ ପରିବାର ରହିଥିବାରୁ ସେମାନଙ୍କ ବିରୋଧରେ କୋଣାର୍କ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଥିବା ନୂଆଗାଁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏଠାରେ ଉଲ୍ଲେଖେଯାଗ୍ୟ ଯେ ଶିକ୍ଷୟିତ୍ରୀ ବିନୋଦିନୀ ଗତ ଜାନୁୟାରୀ ୨୩ରୁ ୨୯ତାରିଖ ପର୍ଯ୍ୟନ୍ତ ଛୁଟି ଦରଖାସ୍ତ ନଦେଇ ସ୍କୁଲରେ ଅନୁପସ୍ଥିତ ଥିଲେ ମଧ୍ୟ ପରେ ରାତି ଅଧିଆ ଶିକ୍ଷକ ଉପସ୍ଥାନରେ ଦସ୍ତଖତ କରିଥିଲେ । ଏହି ଘଟଣା ଗୋପ ବିଇଓ ସୁଶୀଳ କୁମାର ବ୍ରହ୍ମାଙ୍କ ନଜରକୁ ଆସିବା ପରେ ବିନୋଦିନୀଙ୍କ ବିରୋଧରେ ବିଇଓ ଡିପାଟମେଣ୍ଟାଲ ପ୍ରୋସିଡିଙ୍ଗ ଜାରି କରିଥିଲେ । ଗତ ୯ତାରିଖରେ ବିନୋଦିନୀଙ୍କୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇ କରମଙ୍ଗା ସ୍କୁଲକୁ ବଦଳି କରାଯାଇଥିଲା । ବିନୋଦିନୀ ୧୦ ତାରିଖରେ କରମଙ୍ଗାରେ କାର୍ଯ୍ୟରେ ଯୋଗ ଦେବାପରେ ବିଭିନ୍ନ ଆଳ ଦେଖାଇ ଏଯାବତ୍ ନୂଆଗାଁର ସହକାରୀ ଶିକ୍ଷକ ସୁଶାନ୍ତ ବେହେରାଙ୍କୁ ସମସ୍ତ ଦାୟତ୍ୱ ହସ୍ତାନ୍ତର କରିନାହାନ୍ତି । ଏଭଳି ସ୍ଥିତିରେ କାହାକୁ ନଜଣାଇ ସ୍କୁଲରୁ ସାମଗ୍ରୀ ଚୋରି କରିନେବା ଘଟଣାକୁ ନେଇ ବିନୋଦିନୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବା ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ତାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ନୂଆଗାଁ ଗ୍ରାମବାସୀ ଦାବି କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି